କଳାହାଣ୍ଡିରେ ବୁଲିବ ଭ୍ରାମ୍ୟମାଣ ଚିକିତ୍ସାଳୟ, ହାତପାଆନ୍ତାରେ ମିଳିବ ସେବା - କଳାହାଣ୍ଡି ଭ୍ରାମ୍ୟମାଣ ଚିକିତ୍ସାଳୟ
ଅପହଞ୍ଚ ଇଲାକାରେ ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ କଳାହାଣ୍ଡିରେ ଉଦଘାଟନ ହେଲା ଭ୍ରାମ୍ୟମାଣ ଚିକିତ୍ସାଳୟ । ଅଧିକ ପଢନ୍ତୁ
ଭବାନୀପାଟଣା: ଆଦିବାସୀ ଆଧ୍ୟୁଷିତ କଳାହାଣ୍ଡି ଜିଲ୍ଲାର ଅନେକ ଅଞ୍ଚଳ ଆଜି ବି ସରକାରୀ ସ୍ବାସ୍ଥ୍ୟସେବାରୁ ବହୁ ଦୂରରେ । କେତେବେଳେ ଆମ୍ବୁଲାନ୍ସ ନ ଆସିବା ଯୋଗୁଁ ଗର୍ଭବତୀଙ୍କୁ ଖଟିଆରେ ବୁହାଯାଏ ତ ଆଉ କେତେବେଳେ ଠିକ୍ ସମୟରେ ଚିକିତ୍ସା ନ ପାଇ ରୋଗୀ ପ୍ରାଣ ହରାଏ । ବିଗତ ଦିନରେ କଳାହାଣ୍ଡି ଜିଲ୍ଲାରୁ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବାର ଏଭଳି ଅନେକ ଦାରୁଣ ଚିତ୍ର ଲୋକଲୋଚନକୁ ଆସିଛି । ଏବେ ଏହିସବୁ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡିଛି କଳାହାଣ୍ଡି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ।
ଅପହଞ୍ଚ ଇଲାକାରେ ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ TPWODL ଓ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ମିଳିତ ଉଦ୍ୟମରେ ଆଜି(ବୁଧବାର) କଳାହାଣ୍ଡିରେ ଭ୍ରାମ୍ୟମାଣ ଚିକିତ୍ସାଳୟ ଉଦଘାଟନ ହୋଇଛି । TPWODL ପଶ୍ଚିମ ଓଡିଶା ପାଣ୍ଠିରୁ ଏହି ଭ୍ରାମ୍ୟମାଣ ଚିକିତ୍ସାଳୟ ଗାଡ଼ିରେ ଜଣେ ଡାକ୍ତରଙ୍କ ସମେତ ଦୁଇଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ନିଯୁକ୍ତି ଦିଆଯାଇଛି ।
ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଏହାର ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମରେ ରାଜ୍ୟ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଜିଲ୍ଲା ପ୍ରଶାସନ ବରିଷ୍ଠ ପଦାଧିକାରୀଙ୍କ ସମେତ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ TPWODL କର୍ମଚାରୀ ସାମିଲ ହୋଇଥିଲେ । ମନ୍ତ୍ରୀ ସବୁଜ ପତାକା ଦେଖାଇ ଏହି ଭ୍ରାମ୍ୟମାଣ ଚିକିତ୍ସାଲୟ ସେବାର ଶୁଭାରମ୍ଭ କରିଥିଲେ । ଆଗାମୀ ଦିନରେ ଜିଲ୍ଲାରେ ଆଉ ୨ଟି ଭ୍ରାମ୍ୟମାଣ ଚିକିତ୍ସାଳୟ ସେବା ଯୋଗାଇ ଦିଆଯିବ ବୋଲି ପ୍ରକାଶ କରିଛନ୍ତି ମନ୍ତ୍ରୀ । ଏହି ଭ୍ରାମ୍ୟମାଣ ଚିକିତ୍ସାଳୟ ଅପହଞ୍ଚ ଇଲାକାରେ ବସବାସ କରୁଥିବା ଜନସାଧାରଣଙ୍କ ପାଇଁ ବେଶ୍ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ଆଶା ରହିଛି ।
କଳାହାଣ୍ଡିରୁ ଅଜିତ୍ କୁମାର ସିଂ, ଇଟିଭି ଭାରତ