ଭବାନୀପାଟଣା: ଦାଦନ ଶ୍ରମିକରୁ ପାଲଟିଲେ ସଫଳ ଚାଷୀ । ପାଖରେ ସେତେବେଳେ ରହୁଥିଲା ୧୦୦ ଟଙ୍କା । ହେଲେ ଏବେ ଆୟ କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା (Story of Successful Farmer ) । ଦିନେ ପରିବାର ପ୍ରତିପୋଷଣ ପାଇଁ ଦାଦନ ଖଟିବାକୁ ଯାଇଥିଲେ ଛତିଶଗଡ଼ । ସେଠାରେ କାମ କରି ଦୁଇପଇସା ରୋଜଗାର କରୁଥିଲେ । ମାତ୍ର କାମ କରିବା ବେଳେ ପନିପରିବା ଚାଷକୁ ନେଇ ଜ୍ଞାନ ଆହରଣ କରି ଆଜି ହୋଇପାରିଛନ୍ତି ଆତ୍ମନିର୍ଭରଶୀଳ । ଆଉ ଗାଁକୁ ଫେରି ପରିବା ଚାଷ କରି ସଫଳ ଚାଷୀ ହୋଇପାରିଛନ୍ତି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ସାନଚେର ଗାଁର ବିଶ୍ବନାଥ ନାଗ ।
ବାହାର ରାଜ୍ୟରେ ଜଣେ ପନିପରିବା ଚାଷୀଙ୍କ ଠାରେ ଶ୍ରମିକ ଭାବରେ କାମ କରୁଥିଲେ ହେଲେ ସେଠାରେ କାମ କରିବା ସମୟରେ ପନିପରିବା ଚାଷକୁ ନେଇ ଜ୍ଞାନ ଆହରଣ କରି ନିଜେ ଆତ୍ମନିର୍ଭରଶୀଳ ହେବା ପାଇଁ ଫେରି ଆସିଥିଲେ ନିଜ ଗାଁ ମାଟିକୁ । ନିଜସ୍ବ ଜ୍ଞାନ କୌଶଳରେ ଚାଷ କରି ନିଜେ ସ୍ବାବଲମ୍ବୀ ହେବା ସହିତ ଅନ୍ୟମାନଙ୍କ ମୁହଁରେ ଦାନା ଯୋଗାଇ ପାରିବାରେ ସେ ସଫଳ ହୋଇଛନ୍ତି । ଜିଲ୍ଲାର ଗୋଲାମୁଣ୍ଡା ବ୍ଲକର ସାନଚେର ଗାଁର ବିଶ୍ବନାଥ ନାଗ ଓ ସ୍ତ୍ରୀ ଦେବକୀ ନାଗ ପରିବାର ପ୍ରତିପୋଷଣ ପାଇଁ ୩ ପୁଅକୁ ଧରି ୧୯୯୪ ମସିହାରେ ରାୟପୁରକୁ ଦାଦନ ଖଟିବାକୁ କାମ ଅନ୍ବେଷଣରେ ଯାଇଥିଲେ ।
ଏହା ବି ପଢନ୍ତୁ: ଲଜରେ ଜୁଆଖେଳ: 58 ଲକ୍ଷ ଟଙ୍କା ଜବତ, ୭ ଜୁଆଡି ଗିରଫ
ତେବେ ସେଠାରେ କିଛି କମ୍ପାନୀରେ କାମ କରିବା ପରେ ସେଠାରୁ ଦୁର୍ଗ ଠାରେ ଥିବା ଏକ ପନିପରିବା ବଗିଚାରେ କାମ କରୁଥିଲେ । ଏହି କାମରେ ପ୍ରତିଦିନ ବିଶ୍ବନାଥଙ୍କୁ ଦିନ ମଜୁରି ବାବଦକୁ ୧୦୦ ଟଙ୍କା ଓ ତାଙ୍କ ସ୍ତ୍ରୀ ଦେବକୀଙ୍କୁ ୮୦ ଟଙ୍କା ମିଳୁଥିଲା । ଦୀର୍ଘ ୧୮ ବର୍ଷ ଧରି ମାଲିକ ଠାରେ ରହି ଚାଷ କାମ କରିବା ପରେ ୨୦୧୨ ମସିହାରେ ସେ ଗାଁକୁ ଚାଲିଆସିଥିଲେ । ଗାଁକୁ ଆସିଲା ପରେ ଚାଷ କାମ କରିବା ପାଇଁ ମନବଳାଇଥିଲେ । ପ୍ରଥମେ ଦେଢ଼ ଏକର ଜମିରେ କପା ଓ କିଛି ପନିପରିବା ଚାଷ କଲେ । କିଛି ଟଙ୍କା ସଞ୍ଚୟ ହେବା ପରେ ସେ ଗାଁରେ ୯ ଏକର ଜମି କିଣିଥିଲେ ।
ପରେ ସେହି ଜମିରେ ପନିପରିବା ଚାଷ କରି ଆସୁଛନ୍ତି । ବିଶ୍ଵନାଥ କେବଳ ଟମାଟୋ ଓ କଲରା ଚାଷ କରୁଥିବା ବେଳେ ଗତ ୨୦୨୦ ମସିହାରେ ଟମାଟୋ ଚାଷରେ ୨୫ ଲକ୍ଷ ଟଙ୍କା ଆୟ କରିଥିବା ବେଳେ କଲରା ଚାଷରେ ୨୦ ଲକ୍ଷ ଟଙ୍କା ଆୟ କରିଥିଲେ । ଗତ ୨୦୨୧ ମସିହାରେ ଟମାଟୋରେ ୮୦ ଲକ୍ଷ ଟଙ୍କା ଆୟ କରିଥିବା ବେଳେ କଲରାରେ ୧୫ ଲକ୍ଷ ଆୟ କରିଥିଲେ । ବର୍ତ୍ତମାନ ୯ ଏକର ଜମିରେ ୯୦ ହଜାର ଟମାଟୋ ଚାରା ଲଗାଇଛନ୍ତି । ଏଥିରେ ୩୦ ଜଣ ଲୋକଙ୍କୁ ରୋଜଗାର ମଧ୍ୟ ଦେଇଛନ୍ତି । ବିଶ୍ଵନାଥଙ୍କ ଟମାଟୋ ଓ କଲରା ଆନ୍ଧ୍ରପ୍ରଦେଶ, ରାୟପୁର, ମହାସମୁନ୍ଦ, ଭୁବନେଶ୍ବର, ବରଗଡ଼, ବଲାଙ୍ଗୀର ତଥା ଜିଲ୍ଲାର ବିଭିନ୍ନ ବ୍ଲକକୁ ଯାଉଛି ।
ଇଟିଭି ଭାରତ, କଳାହାଣ୍ଡି