ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ବେଶ ଧୁମଧାମରେ ପାଳିତ ହେଉଛି ମହାବୀର ମହୋତ୍ସବ ୨୦୨୨(Mahavir Mahotsav )। ଆସନ୍ତାକାଲି ଏହି ମହୋତ୍ସବର ଶେଷ ସନ୍ଧ୍ଯା ଥିବା ବେଳ ଆଜି ଏହା ଷଷ୍ଠ ଦିନରେ ପହଞ୍ଚିଛି । ଏହି ଅବସରେ ମୁଖ୍ୟଅତିଥି ଭାବେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଯୋଗଦେଇ ଅନୁଷ୍ଠାନର ସ୍ମରଣିକାକୁ ଉନ୍ମୋଚନ କରିଥିଲେ । ୭ଦିନ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମହୋତ୍ସବରେ ମୁରୁଜ, ଚିତ୍ରାଙ୍କନ, ନୃତ୍ୟ, ସଙ୍ଗୀତ ଭଳି ଅନେକ ପ୍ରତିଯୋଗିତା ହୋଇଥିଲା।
ଏଥିରେ ଜିଲ୍ଲାର କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା । ପରେ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ଏହି ମଞ୍ଚରେ ଅନେକ କଳାକାର ନିଜର କଳା ପ୍ରଦର୍ଶନ କରିଥିଲେ । ଏହି ମହୋତ୍ସବକୁ ଦେଖିବା ପାଇଁ ନାହିଁନଥିବା ଭିଡ଼ ଜମିଥିଲା । ତେବେ ଗତ ଦୁଇବର୍ଷ ଧରି କୋଭିଡ କଟକଣା ଯୋଗୁଁ ମହୋତ୍ସବ ବନ୍ଦ ରହିଥିଲା । ହେଲେ ଏଥର କଟକଣା ନଥିବାରୁ ନିରାଡ଼ମ୍ବର ଭାବରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା ।
ଏ ସମ୍ପର୍କରେ ମହାବୀର ସାଂସ୍କୃତିକ ଅନୁଷ୍ଠାନ ସଭାପତି ଜୟନ୍ତ ବେହେରା କହିଛନ୍ତି, ''ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ପାଳିତ ହୋଇଛି ମହାବୀର ମହୋତ୍ସବ(Mahavir Mahotsav celebrated in Kalahandi) । ଆସନ୍ତାକାଲି ଏହି ମହୋତ୍ସବର ଶେଷ ଦିବସ । ତେବେ ଆଜି ଓ କାଲି ଭିତରେ ଅନେକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ରଖାଯାଇଛି । ଏଥିପାଇଁ ରାଜ୍ୟସ୍ତରୀୟ ପୁରସ୍କାର, କୃତି ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଛି।''
ସେହିପରି କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା କହିଛନ୍ତି ''ଏହି କଳାକାରମାନେ ଆସନ୍ତା ୨୪ ତାରିଖ ଦିନ ଏମାନେ ଦିଲ୍ଲୀ ଯାଉଛନ୍ତି । ଅନେକ ମଞ୍ଚରେ ତାଙ୍କ କଳାର ପ୍ରଦର୍ଶନ କରିବେ । ଘୁମୁରା ବି ଅତୀତରେ ଯାଇଥିଲା । ବିଭିନ୍ନ ଜାଗାରେ କଳା ସଂସ୍କୃତିର ନିଦର୍ଶନ ଦ୍ବାରା ଏବଂ ସାହିତ୍ୟ ଆସର ଦ୍ବାରା ସମାଜରେ ବିଭିନ୍ନ ପ୍ରକାରର ସଂସ୍କାର ଆଣିବା ପାଇଁ ମହାବୀର ସାଂସ୍କୃତିକ ଅନୁଷ୍ଠାନ ଅନବରତ ଚେଷ୍ଟା ଜାରି ରଖିଛି।''
ଇଟିଭି ଭାରତ, କଳାହାଣ୍ଡି