ଭବାନୀପାଟଣା: ଜିଲ୍ଲାରେ ଦିନକୁ ଦିନ ଦାଦନ ସମସ୍ୟା ଉଗ୍ର ରୂପ ଧାରଣ କରୁଛି । ମାଳମାଳ ସରକାରୀ ଯୋଜନା ସତ୍ତ୍ବେ ଏଠି ସରୁନି ଦାଦନ ଦୁଃଖ । ପେଟପାଟଣା ଆଶାରେ ଗରୀବ ଲୋକେ ଦାଦନ ଖଟିବାକୁ ପଡୋଶୀ ରାଜ୍ୟକୁ ଯାଉଛନ୍ତି । ଏମିତି ଘଟଣା ପ୍ରତ୍ୟେକ ଦିନ ଗଣମାଧ୍ୟମର ଶିରୋନାମା ପାଳଟୁଛି । ଏହି କ୍ରମରେ ପୁଣି କଳାହାଣ୍ଡି ଜିଲ୍ଲାରେ ଦାଦନ ଦୁଃଖ ଦେଖିବାକୁ ମିଳିଛି । କଳାହାଣ୍ଡି ଜିଲ୍ଲା କୁନାଗଡ଼ ବ୍ଲକ ଚିଙ୍ଗୁଡ଼ିସର ଗାଁର ଗୋଟିଏ ପରିବାରର ୧୦ଜଣ ସଦସ୍ୟ ତାମିଲନାଡୁର ବୀରାକୁପମ ଠାରେ ବନ୍ଧା ପଡିଥିଲେ । ଏହି ଘଟଣା ଗଣମାଧ୍ୟମରେ ପ୍ରକାଶ ହେବା ପରେ ବନ୍ଧକ ଥିବା ଦାଦନ ଶ୍ରମିକ ନିଜ ଭିଟାମାଟିକୁ ଫେରିଛନ୍ତି ।
ସୂଚନା ଅନୁଯାୟୀ, ସିଂଗୁଡିସର ଗାଁର ଗୋଟିଏ ପରିବାରର ୧୦ ଜଣ ସଦସ୍ୟ ଜୁନାଗଡ଼ ଅଞ୍ଚଳର ଜଣେ ଦାଦନ ସର୍ଦ୍ଦାର ସହ ଯୋଗାଯୋଗ କରି ତାମିଲନାଡୁ ବିରାକୁପମରେ ଏକ ଇଟାଭାଟିରେ କାମ କରିବାକୁ ଯାଇଥିଲେ । ସେଠାରେ ସମ୍ପୃକ୍ତ ଦାଦନ ସର୍ଦ୍ଦାର ଜଣକ ୧୦ ଜଣ ଶ୍ରମିକଙ୍କୁ କିଛି ଟଙ୍କାରେ ବିକ୍ରି କରିଦେଇଥିଲା । ଏହି ଶ୍ରମିକମାନେ କାମ କରି ନିଜ ପାରିଶ୍ରମିକ ମାଗିବାରୁ ସମ୍ପୃକ୍ତ ଇଟାଭାଟି ମାଲିକ ସେମାନଙ୍କୁ ମାଡ଼ ମାରିବା ସହ ଗୋଟିଏ କୋଠରୀରେ ବନ୍ଧକ ରଖି ନିର୍ଯାତନା ଦେଉଥିଲା । ଭୋକ ଶୋଷରେ ସେଠାରେ ବନ୍ଧା ହୋଇ ପଡ଼ି ରହିଥିଲେ ।
ଗତ 4 ଦିନ ତଳେ ଏକ ଭିଡ଼ିଓ ମାଧ୍ୟରେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିବେଦନ କରିଥିଲେ । ଯାହା ସୋସିଆଲ ମିଡିଆରେ ଭାଇରାଲ ହେବା ସହ ଗଣମାଧ୍ୟମରେ ଖବର ପ୍ରସାରଣ ମଧ୍ୟ ହୋଇଥିଲା । ଏହି ଘଟଣାକୁ ନେଇ ସାମାଜିକ ଗଣମାଧ୍ୟମରେ ଅସନ୍ତୋଷ ପ୍ରକାଶ ପାଇବା ପରେ ଜୁନାଗଡ଼ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏଥିରେ ହସ୍ତକ୍ଷେପ କରିଥିଲେ । ଏନେଇ ବିଧାୟକ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗକୁ ନିର୍ଦ୍ଦେଶ ଦେବା ପରେ ଜିଲ୍ଲା ପ୍ରଶାସନର ଏକ ସ୍ୱତନ୍ତ୍ର ଟିମ ବନ୍ଧକ ଥିବା ସ୍ଥାନକୁ ଯାଇ ଶ୍ରମିକମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା ଏବଂ ସେମାନଙ୍କୁ ଗାଁକୁ ଫେରାଇ ଆଣି ଆଣିଛି । ଉଦ୍ଧାର ପରେ ଶ୍ରମିକମାନେ ଜିଲ୍ଲା ପ୍ରଶାସନ ଏବଂ ବିଧାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ତେବେ ଜିଲ୍ଲାରେ ଏହା ପ୍ରଥମ ଘଟଣା ନୁହେଁ । କଳାହାଣ୍ଡି ଜିଲ୍ଲାର ଅନେକ ଶ୍ରମିକ ବାହାର ରାଜ୍ୟକୁ ଯାଇ ଦାଦନ ଖଟୁଛନ୍ତି । ପେଟପାଟଣା ପାଇଁ ଦାଦନ ଖଟିବାକୁ ଯାଇ କିଏ ଦିବ୍ୟାଙ୍ଗ ହୋଇ ଫେରୁଛି ତ ପୁଣି ଆଉ କିଏ ମୃତଦେହ ହୋଇ ଫେରୁଛି । ଗତ ସପ୍ତାହେ ମଧ୍ୟରେ ଜିଲ୍ଲାକୁ ୬ଜଣ ଦାଦନ ଶ୍ରମିକଙ୍କ ମୃତଦେହ ନିଜ ଭିଟା ମାଟିକୁ ଫେରିଛି । ଦାଦନ ପ୍ରଥାକୁ ରୋକିବା ପାଇଁ ସତେ ଯେମିତି ଜିଲ୍ଲା ପ୍ରଶାସନ ବିଫଳ ହୋଇଥିବା ମନେ ହେଉଛି । ସରକାର ଗରିବ ଖଟିଖିଆଙ୍କୁ ୧୦୦ ଦିନର କର୍ମ ନିଯୁକ୍ତି ଯୋଗାଇ ଦେଉଥିବା କଥା କହୁଥିବା ବେଳେ ତୃଣମୂଳସ୍ତରରେ ସରକାରୀ ଯୋଜନାର ସଠିକ ରୂପାୟନ ନ ହେବା ଯୋଗୁଁ ଦାଦନ ସମସ୍ୟା ଦେଖାଦେଉଥିବା ଅଭିଯୋଗ ହେଉଛି ।
ଇଟିଭି ଭାରତ, କଳାହାଣ୍ଡି