ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟର ପୂର୍ବତନ ଭାରପ୍ରାପ୍ତ ମେଡିକାଲ ଅଫିସର ଡାକ୍ତର ଅଜିତ କୁମାର ନେଗୀ ଗତକାଲି ଭିଜିଲାନ୍ସ ମାମଲାରେ ଦଣ୍ଡିତ ହୋଇଛନ୍ତି । ୨୦୧୪ରେ ପ୍ରସବ କରାଇବା ପାଇଁ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଥିଲେ । ଏନେଇ କୋରାପୁଟ ଭିଜିଲାନ୍ସ ବିଭାଗରେ ଏକ ମାମଲା ରୁଜୁ ହୋଇଥିଲା । ଘଟଣାର ପ୍ରାୟ ୯ ବର୍ଷ ପରେ ଭବାନୀପାଟଣା ସ୍ବତନ୍ତ୍ର ବିଚାରପତି ଶ୍ରୀକାନ୍ତ ମିଶ୍ର ଡାକ୍ତର ଅଜିତ କୁମାର ନେଗୀଙ୍କୁ ୨ଟି ମାମଲାରେ ଦୋଷୀ ସାବ୍ୟସ୍ତ କରି ୩ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ଶୁଣାଇବା ସହ ୨୦ ହଜାର ଟଙ୍କା ଜରିମାନା କରିଛନ୍ତି ।
ସୂଚନା ଅନୁଯୟୀ, କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଖଣ୍ଡ ଅନ୍ତର୍ଗତ ଗୋଲାମୁଣ୍ଡା ବ୍ଲକର ଜଣେ ପ୍ରସୂତି ମହିଳା ଜଣକ ଧର୍ମଗଡ ଉପଖଣ୍ଡ ମେଡ଼ିକାଲକୁ ୨୦୧୪ ମସିହାରେ ଯାଇଥିଲେ । ହେଲେ ସେଠାରେ ନିଯୁକ୍ତ ଥିବା ଡାକ୍ତର ତଥା ମେଡିକାଲ ଅଫିସର ଅଜିତ ନେଗୀ ତାଙ୍କୁ ପ୍ରସୂତୀ କରାଇ ଦେବା ପାଇଁ ଲାଞ୍ଚ ମାଗିଥିଲେ । ଏହାକୁ ନେଇ ରୋଗୀଙ୍କ ସମ୍ପର୍କୀୟ ଭିଜିଲାନ୍ସ ବିଭାଗର ଦ୍ୱାରସ୍ତ ହୋଇଥିଲେ । ଯାହାକୁ ନେଇ ଭିଜଲାନ୍ସ ବିଭାଗ ଅଜିତ ନେଗୀଙ୍କୁ ଧରିବା ପାଇଁ ଜାଲ ବିଛାଇ ଥିଲା। ଯୋଜନା ଅନୁଯାୟୀ ଡାକ୍ତର ଜଣକ ରୋଗୀଙ୍କଠାରୁ ଟଙ୍କା ନେଉଥିବା ବେଳେ ଭିଜଲାନ୍ସ ବିଭାଗ ମାଡ଼ି ବସି ଡାକ୍ତର ବାବୁଙ୍କୁ ଧରିବା ସହ ତାଙ୍କଠାରୁ ଟଙ୍କା ଜବତ କରିଥିଲେ ।
ଏହା ମଧ୍ୟ ପଢନ୍ତୁ-ଖାକି ପୋଷାକରେ କଳଙ୍କ, ଭିଜିଲାନ୍ସ ପଞ୍ଝାରେ ଥାନା ଏଏସଆଇ
ଏଥିସହ ତତ୍କକାଳୀନ ମେଡିକାଲ ଅଫିସର ଅଜିତ ନେଗିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଘଟଣାର ପ୍ରାୟ ୯ ବର୍ଷ ପରେ ଏହି ମାମଲାର ଶୁଣାଣି କରିଛନ୍ତି କୋର୍ଟ । ଭବାନୀପାଟଣା ଭିଜିଲାନ୍ସ କୋର୍ଟ ଜଜ୍ ଶ୍ରୀକାନ୍ତ ମିଶ୍ର ଏହି ମାମଲାର ଶୁଣାଣି କରିବାକୁ ଯାଇ ଅବସର ପ୍ରାପ୍ତ ମେଡିକାଲ ଅଫିସର ଅଜିତ ନେଗୀଙ୍କୁ ୩ ବର୍ଷ କାରାଦଣ୍ଡ ନିର୍ଦ୍ଦେଶ ଦେବା ସହ ୨୦ ହଜାର ଟଙ୍କା ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ ହେଲେ ଅତିରିକ୍ତ ୩ ମାସ ପାଇଁ କାରାଦଣ୍ଡ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି କୋର୍ଟ । ଏନେଇ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ସୁଚନା ଦେଇଛି ଭିଜିଲାନ୍ସ ବିଭାଗ । ସେହିପରି ଭିଜିଲାନ୍ସ ବିଭାଗ ସମ୍ପୃକ୍ତ ଡାକ୍ତରଙ୍କ ପେନ୍ସନ୍ ବନ୍ଦ ପାଇଁ ବିଭାଗୀୟ ଅଧିକାରୀଙ୍କୁ ଜଣାଇଛନ୍ତି । ଏହି ମାମଲା ସରକାରଙ୍କ ପକ୍ଷରୁ ଭିଜିଲାନ୍ସ ପିପି ଅଶ୍ୱିନୀ କୁମାର ସାହୁ ପରିଚାଳନା କରିଥିଲେ ।
ଇଟିଭି ଭାରତ, କଳାହାଣ୍ଡି