ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକ ବିଇଓ ଅଫିସ ଆକାଉଣ୍ଟାଣ୍ଟଙ୍କ ଲକ୍ଷାଧିକ ଟଙ୍କା ହଡପ ଘଟଣା ନୂଆ ମୋଡ଼ ନେଇଛି । ୬ ମାସରୁ ଅଧିକ ସମୟ ହେଲା କଳାହାଣ୍ଡି ପୋଲିସ ଓ ଭିଜିଲାନ୍ସ ଆଖିରେ ଧୂଳି ଦେଇ ଆତ୍ମଗୋପନ କରିଥିବା ଅଭିଯୁକ୍ତ ଆକାଉଣ୍ଟାଣ୍ଟ ସୁଚିସ୍ମିତା ସୁଆର ମଙ୍ଗଳବାର ଭବାନୀପାଟଣା ଏସଡିଜେଏମ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି । ବିଚାର ବିଭାଗୀୟ ଅନୁଧ୍ୟାନ ପରେ ତାଙ୍କୁ ଭବାନୀପାଟଣା ଜେଲକୁ ବିଚାରଧୀନ କଏଦୀ ଭାବେ ପଠେଇ ଦିଆଯାଇଛି । ତେବେ ଏହି ମାମଲାର ତଦନ୍ତ କରୁଥିବା ଭବାନୀପାଟଣା ଟାଉନ ପୋଲିସ ସୁଚିସ୍ମିତାଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରିପାରେ ବୋଲି ଜଣାଯାଇଛି ।
ସୂଚନା ଅନୁଯାୟୀ, ଗତ ବର୍ଷ ଅକ୍ଟୋବରରେ ଭବାନୀପାଟଣା ବିଇଓ କାର୍ଯ୍ୟାଳୟ ଆକାଉଣ୍ଟାଣ୍ଟ ସୁଚିସ୍ମିତା ସୁଆର ବ୍ଲକର ୧୭୧ ଜଣ ଏକ୍ସକ୍ୟାଡର ଶିକ୍ଷକମାନଙ୍କ ଦରମା ବାବଦ ୩୯ ଲକ୍ଷ ଓ ବିଭିନ୍ନ ପାଣ୍ଠିର ପ୍ରାୟ ୨ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଷ୍ଟେଟବ୍ୟାଙ୍କ ଓ ଏକ୍ସିସ ବ୍ୟାଙ୍କ ଆକାଉଣ୍ଟରୁ ନିଜର ବ୍ୟକ୍ତିଗତ ଆକାଉଣ୍ଟକୁ ଟ୍ରାନ୍ସଫର କରି ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା । ଜିଲ୍ଲାର ଏକ୍ସକ୍ୟାଡର ଶିକ୍ଷକମାନଙ୍କ ଦରମା ଓ ଶିକ୍ଷକଙ୍କ ବିଭିନ୍ନ ଅନୁଦାନ ହଡପ କରାଯାଇଥିବା ସମ୍ପର୍କରେ ଭବାନୀପାଟଣା ବିଇଓ ଠାକୁର ଚରଣ ସାହୁ ଟାଉନ ଥାନାରେ ଲିଖିତ ଅଭିଯାଗ କରିଥିଲେ । ଏନେଇ ଥାନାରେ ମାମଲା ରୁଜୁ ହେବା ପୂର୍ବରୁ ସୁଚିସ୍ମିତା ସୁଆର୍ ଫେରାର ହୋଇଯାଇଥିଲେ । ପରେ କଳାହାଣ୍ଡି ଭିଜିଲାନ୍ସ ବିଭାଗର ନିଜ ଆଡୁ ମାମଲା ରୁଜୁ କରି ସୁଚିସ୍ମିତାଙ୍କ ଭବାନୀପାଟଣା ସ୍ଥିତ ବାସଭବନକୁ ସିଲ୍ କରିଥିଲା ।
ଉଭୟ ବିଭାଗ ତଦନ୍ତ ଜାରି ରଖିଥିବା ବେଳେ ଏହି ଘଟଣାରେ ପୋଲିସ ଗତବର୍ଷ ସୁଚିସ୍ମିତା ସୁଆରଙ୍କ ଭିଣୋଇ ଗଙ୍ଗାଧର ପୂଜାରୀଙ୍କୁ ବରଗଡ଼ରୁ ଗିରଫ କରିଥିଲା । ପରେ ଶିକ୍ଷକ ପୂର୍ଣ୍ଣଶଶି ମହାନ୍ତି ଓ ଅନ୍ୟ ଜଣେ ଅଭିଯୁକ୍ତ ଗୋପାଳକୃଷ୍ଣ ଦାସ ଗିରଫ ହୋଇଥିଲେ । ସେମାନଙ୍କୁ ଜାମିନ ମିଳିଥିବା ବେଳେ ପ୍ରାୟ ୬ ମାସରୁ ଅଧିକ ସମୟ ହେବ ମୁଖ୍ୟ ଅଭିଯୁକ୍ତ ସୁଚିସ୍ମିତା ପୋଲିସ ଓ ତଦନ୍ତକାରୀ ଭିଜିଲାନ୍ସ ବିଭାଗ ହାତରେ ଧରାଛୁଆଁ ଦେଉନଥିଲେ । ଏନେଇ ପୋଲିସ ଟିମ୍ ରାଜ୍ୟ ବାହାରର ବିଭିନ୍ନ ସ୍ଥାନରେ ସୁଚିସ୍ମିତାଙ୍କୁ ଠାବ କରିବା ପାଇଁ ଚଢ଼ାଉ କରିଥିଲେ ହେଁ ତାଙ୍କ କୌଣସି ସୁରାକ ମିଳିନଥିଲା ।
ବର୍ତ୍ତମାନ ନାଟକୀୟ ଭାବେ ସେ ସାମ୍ନାକୁ ଆସି କୋର୍ଟରେ ଆତ୍ମସମର୍ପଣ କରିଛନ୍ତି । ତେଣୁ ଏବେ ବିଇଓ ଅଫିସ ଟଙ୍କା କେଳେଙ୍କାରୀ ଘଟଣାର ବହୁ ଗୁମର ସାମ୍ନାକୁ ଆସିବ ବୋଲି ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି । ସେପଟେ ଭିଜିଲାନ୍ସ ବିଭାଗ ସୁଚିସ୍ମିତା ସୁଆରଙ୍କୁ ରିମାଣ୍ଡରେ ଆଣି ପଚାରଉଚରା କରିବାର ସମ୍ଭାବନା ରହିଥିବାରୁ ଏହି କେଳେଙ୍କାରୀରେ ସମ୍ପୃକ୍ତି ଥିବା ଅନ୍ୟ ଅଧିକାରୀଙ୍କ ମଧ୍ୟରେ ଛନକା ପଶିଛି ।
ଇଟିଭି ଭାରତ, କଳାହାଣ୍ଡି