ଭବାନୀପାଟଣା: ବହୁ ଚର୍ଚ୍ଚିତ ନୟାଗଡ ଜିଲ୍ଲା ପରୀ ହତ୍ୟାକାଣ୍ଡରେ ରାଜନୀତି ସରଗରମ ରହିଛି । ରାଜ୍ୟ ବିଜେପି ପକ୍ଷରୁ ଏହି ଘଟଣାକୁ ନିନ୍ଦା କରାଯିବା ସହିତ ପଦଯାତ୍ରା ଆରମ୍ଭ ହୋଇଛି । କଳାହାଣ୍ଡି ଜିଲ୍ଲା ବିଜେପି ପକ୍ଷରୁ ମଧ୍ୟ ପରୀକୁ ନ୍ୟାୟ ଦାବି କରି ରବିବାର ପଦଯାତ୍ରା ଆରମ୍ଭ ହୋଇଛି ।
ପରୀ ହତ୍ୟାକାଣ୍ଡକୁ ନିନ୍ଦା କରାଯିବା ସହିତ ପରୀ ବାପା ମାଆଙ୍କୁ ନ୍ୟାୟ ଦେବା ପାଇଁ ଘଟଣାର ସିବିଆଇ ତଦନ୍ତ କରାଯିବା ସହିତ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା , ରାଜ୍ୟରେ ୫ ହଜାରରୁ ଉର୍ଦ୍ଧ୍ବ ନିଖୋଜ ଥିବା ଶିଶୁଙ୍କୁ ଉଦ୍ଧାର ଦାବି କରିଛି ଦଳ । ଏ ନେଇ କଳାହାଣ୍ଡି ଜିଲ୍ଲା ବିଜେପି କାର୍ଯ୍ୟାଲୟରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା ପରେ ମାଣିକେଶ୍ଵରୀ ମନ୍ଦିର ନିକଟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ପଦଯାତ୍ରାରେ ରାଜ୍ୟ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ସମେତ ବହୁ ବିଜେପି କର୍ମୀ ଯୋଗ ଦେଇଥିଲେ।
ପ୍ରକାଶ ଥାଉ କି ନୟାଗଡରୁ କିଛି ଦିନ ହେବ ନିଖୋଜ ହୋଇଯାଇଥିଲା ପରୀ । ପୋଲିସ ବହୁତ ଖୋଜା ଖୋଜି କରିବା ପରେ ଗାଁ ପୋଖରୀରୁ ପରୀର ମୃତଦେହ ଉଦ୍ଧାର ହୋଇଥିଲା । ନିରୀହ ପରୀକୁ ନ୍ୟାୟ ଦାବି କରି ଜିଲ୍ଲାର କୋଣ ଅନୁକୋଣର ରାଜ ରାସ୍ତାକୁ ଓହ୍ଲାଇଛି ବିଜେପି ଦଳ ।
କଳାହାଣ୍ଡିରୁ ଅଜିତ୍ କୁମାର ସିଂହ, ଇଟିଭି ଭାରତ