ଭବାନୀପାଟଣା: ଏକପାଖିଆ ପ୍ରେମରୁ ଅପହରଣ ଓ ପରେ ଦୁଷ୍କର୍ମ ଭଳି ସଙ୍ଗୀନ ଅଭିଯୋଗ । ଆଉ ତା'ପରେ ଥାନାରେ ମାମଲା ରୁଜୁ ସହିତ ହୋଇଥିଲା ଆପୋଷ ବୁଝାମଣା । ଉଭୟ ପକ୍ଷଙ୍କ ସମ୍ମାନ ପାଇଁ ଥାନାରେ ସହମତିରେ ଆପୋଷ ବୁଝାମଣା ହୋଇ ଦେଢ଼ବର୍ଷ ଧରି ସ୍ଵାମୀ-ସ୍ତ୍ରୀ ଭାବେ ରହିଥିଲେ । ମାତ୍ର ଏବେ ପୁଣି ଧୋକା ଦେଇ ଅନ୍ୟ ଜଣେ ଯୁବତୀକୁ ପ୍ରେମ ବିବାହ କରିଛନ୍ତି ଯୁବ । କେବଳ ସେତିକି ନୁହେଁ, ପ୍ରଥମେ ଅପହରଣ କରି ନେଇଥିବା ନାବାଳିକାକୁ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ଭଳି ଘଟଣା ଘଟିଛି । ପ୍ରତାରଣାର ଶିକାର ନାବାଳିକା ଜଣକ ଏବେ ଥୁଆମୂଳ ରାମପୁର ଥାନା ଦ୍ବାରସ୍ଥ ହୋଇ ନ୍ୟାୟ ମାଗିବା ପରେ ସ୍ଥାନୀୟ ଅଞ୍ଚଳରେ ଏହି ଘଟଣା ଆଲୋଡ଼ନ ସୃଷ୍ଟି କରିଛି ।
![Accused of torture arrested in ragayada](https://etvbharatimages.akamaized.net/etvbharat/prod-images/od-kld-02-accuse-arrest-dry-7203436_13032022161435_1303f_1647168275_60.jpg)
ଥୁଆମୂଳ ରାମପୁର ବ୍ଲକ ବଡ଼ସୁକୁଲି ଗ୍ରାମର ଜଣେ ନାବାଳିକା ଟିଉସନ୍ ପଢ଼ିବାକୁ ମହୁଲପାଟଣା ଯାଇ ଫେରୁଥିବା ବେଳେ ୨୦୨୦ ଅକ୍ଟୋବର ୧୧ରେ ତାଙ୍କୁ ଏକପାଖିଆ ପ୍ରେମ କରୁଥିବା ବଡ଼ସୁକୁଲି ଗ୍ରାମର ପରମାନନ୍ଦ ନାଏକ ରାସ୍ତାରୁ ଅପହରଣ କରି ନେଇଥିଲା । ନାବାଳିକାଙ୍କୁ ପରମାନନ୍ଦ ରାୟଗଡ଼ା ଜିଲ୍ଲା କାଶୀପୁରଠାରେ ରଖିଥିଲା । ଏନେଇ ପରିବାର ଲୋକ ସୂଚନା ପାଇବା ପରେ ଥୁଆମୂଳ ରାମପୁର ଥାନା ଦ୍ବାରସ୍ଥ ହୋଇଥିଲେ। ପୁଲିସ ଉଭୟ ପକ୍ଷଙ୍କୁ ଡକାଇ ଆପୋଷ ବୁଝାମଣା କରିଥିଲା । ନାବାଳିକାଙ୍କୁ ପରମାନନ୍ଦ ନିଜ ଘରେ ଦୀର୍ଘ ଦେଢ଼ବର୍ଷ ପର୍ଯ୍ୟନ୍ତ ସ୍ତ୍ରୀ ଭାବରେ ରଖିଥିଲା ।
ତେବେ ଅଧିକାଂଶ ସମୟରେ ସେ ନାବାଳିକାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଆସୁଥିଲା। ଇତିମଧ୍ୟରେ ଗତ ଫେବୃଆରୀ ୯ ତାରିଖରେ ପରମାନନ୍ଦ ଗ୍ରାମର ଅନ୍ୟ ଜଣେ ଯୁବତୀଙ୍କୁ ପ୍ରେମ ବିବାହ କରି ଘରେ ଆଣି ରଖିବା ପରେ ପୂର୍ବରୁ ଅପହରଣ କରି ରଖିଥିବା ନାବାଳିକା ପ୍ରତି ଅକଥନୀୟ ଅତ୍ୟାଚାର କରିବା ସହ ଘରୁ ବାହାର କରିଦେଇଥିଲା । ନାବାଳିକା ଜଣକ ନିଜ ବାପାଙ୍କ ଘରକୁ ଆସି ନିର୍ଯାତନାର କାହାଣୀ ବଖାଣିବା ସହ ଥୁଆମୂଳ ରାମପୁର ଥାନା ଦ୍ବାରସ୍ଥ ହୋଇ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ଏକ ମାମଲା ରୁଜୁକରି ଅଭିଯୁକ୍ତ ପରମାନନ୍ଦକୁ ଗିରଫ କରି କୋର୍ଟ ଚାଲାଣ କରିଛି ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ