ଭବାନୀପାଟଣା: ରକ୍ତ ରଞ୍ଜିତ ହେଲା ଜୁନାଗଡ଼ । ଶଙ୍କରପଲା ଗ୍ରାମରେ ହୋଇଛି ଟ୍ରିପଲ ମର୍ଡର । ୩ ଜଣଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରି ଫେରାର ହୋଇଥିବା ଜଣାପଡିଛି । କଳାହାଣ୍ଡିର ଜୁନାଗଡ଼ ସ୍ଥିତ ଶଙ୍କରାପଲା ଗାଁରୁ ଏଭଳି ଛାତିଥରା ଘଟଣା ସାମନାକୁ ଆସିଛି । ଏକାସହ ଗୋଟିଏ ଗ୍ରାମର 3 ଜଣଙ୍କ ଜୀବନ ଯାଇଛି । ମୃତକମାନେ ହେଲେ ଶଙ୍କରପଲା ଗ୍ରାମର ରାଏମତି ମାଝୀ ଓ ତାଙ୍କ 2 ବର୍ଷର ପୁଅ ଶିବଶକ୍ତି ମାଝୀ । ଏହାସହ ଗ୍ରାମର ମହେନ୍ଦ୍ର କୁମାର ନାମକ ଜଣେ ବ୍ୟକ୍ତିଙ୍କର ମଧ୍ୟ ହତ୍ୟା କରାଯାଇଛି ।
ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କେଉଁ କାରଣରୁ ଏହି ହତ୍ୟାକାଣ୍ଡ ଘଟିଛି ସେନେଇ କୌଣସି ସୂଚନା ମିଳିପାରିନାହିଁ । କିଏ ଏହି ହତ୍ୟାକାଣ୍ଡ ଘଟାଇଛି ତାହା ମଧ୍ୟ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ପୋଲିସ ପକ୍ଷରୁ ମିଳିଥିବା ପ୍ରାଥମିକ ସୂଚନା ଅନୁଯାୟୀ, ରାଏମତି ମାଝୀଙ୍କ ସ୍ଵାମୀ ପୂର୍ବରୁ ଏକ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିଲେ । ଏକ ହତ୍ୟା ମାମଲାରେ ରାଏମତିଙ୍କ ସ୍ବାମୀ ଜେଲ ଯାଇଥିବା ଜଣାପଡିଛି । ପ୍ରାୟ ୯ ବର୍ଷ ତଳେ ସେହି ଗାଁର ଜଣେ ଯୁବକଙ୍କୁ ସେ ହତ୍ୟା କରିଥିଲେ ।
ଏହା ବି ପଢନ୍ତୁ...ସମ୍ବଲପୁରର ବହୁ ଚର୍ଚ୍ଚିତ ଟ୍ରିପଲ ମର୍ଡର କେସ, ଦୋଷୀକୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଲେ କୋର୍ଟ
ଜୁନାଗଡ଼ରେ ଘଟିଥିବା ଏଭଳି ସ୍ପର୍ଶକାତର ଘଟଣା ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି । ଗୋଟିଏ କି ଦୁଇଟି ନୁହେଁ, ଏକା ସହ 3 ଜଣଙ୍କ ଜୀବନ ଯିବା ଘଟଣାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଗ୍ରାମବାସୀ । କିଏ, କାହିଁକି ଏବଂ କେଉଁ ପରିସ୍ଥିିତିରେ ଏହି ହତ୍ୟାକାଣ୍ଡ ଘଟାଇଛି ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିଛି ଟିମ୍ । ତେବେ ରାଜ୍ୟରେ ଦିନକୁ ଦିନ ଅପରାଧିକ ମାମଲା ବଢିବାରେ ଲାଗିଛି । ନିକଟରେ ଗଞ୍ଜାମରେ ଗୋଟିଏ ଦିନରେ ଦୁଇଟି ଦୁଇଟି ମୁଣ୍ଡ ଗଡିଥିଲା । ରାଜନୈତିକ ଶତୃତାରୁ ହତ୍ୟା ଅଭିଯୋଗ ଆଣିଥିଲେ ପରିବାର । ଦୁର୍ଦ୍ଦାନ୍ତ ଅପରାଧୀ ସୁନିଲ ନାହାକ ହତ୍ୟାକାଣ୍ଡରେ ଖଲ୍ଲିକୋଟ ବିଧାୟିକାଙ୍କ ସ୍ବାମୀଙ୍କୁ ମଧ୍ୟ ସ୍କାନରକୁ ନେଇଛି ପୋଲିସ ।
ସେପଟେ ଆଜି କଳାହାଣ୍ଡିରୁ ଏଉ ଏକ ସ୍ପର୍ଶକାତର ଘଟଣା ସାମନାକୁ ଆସିଛି । ଏକାସହ 3 ଜଣଙ୍କୁ ହତ୍ୟା କରାଯାଇଛି । ଜଣେ ମହିଳା, ଶିଶୁ ଏବଂ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି । ଏହି 3ଟି ମୃତଦେହ ରାସ୍ତାକଡ଼ରେ ପଡିରହିଥିବା ଦେଖିବାକୁ ମିଳିଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିବା ସହ ତଦନ୍ତ ଆରମ୍ଭ କରିଛି ।
ଇଟିଭି ଭାରତ, କଳାହାଣ୍ଡି