ଝାରସୁଗୁଡ଼ା: କଥାରେ ଅଛି ମନରେ ଇଚ୍ଛା ଶକ୍ତି ଥିଲେ ସବୁକିଛି ହାର ମାନିଥାଏ । ଝାରସୁଗୁଡାରେ ଏହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି । ସହରରେ ଥିବା ପୁରୁଣାବସ୍ତି ମହାଦେବନଗର ପଡ଼ାର ସୁନାପୁଅ ଇଜାଜ୍ ଇନଷ୍ଟିଚ୍ୟୁଟ ଅଫ ଚାଟାର୍ଡ ଆକାଉଣ୍ଟସ ଅଫ ଇଣ୍ଡିଆରୁ ସିଏ (CA) ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏହାପରେ ପରିବାରରେ ଖୁସିର ମାହୋଲ ରହିଛି ।
ଇଜାଜ୍ଙ୍କ ପରିବାରର ଆର୍ଥିକ ଅବସ୍ଥା ସେତେଟା ସ୍ବଚ୍ଛଳ ନଥିଲା । ବାପା ଗାଡ଼ି ମେକାନିକ୍ ଭାବରେ କାମ କରନ୍ତି । ଲୋକଙ୍କ ଗାଡ଼ି ସଜାଡ଼ିବା ଯେତିକି ଟଙ୍କା ମିଳେ ସେତିକିରେ ପରିବାର ପେଟ ପାଳିବା ମୁସ୍କିଲ୍ ହୋଇପଡ଼େ । ତେବେ ଆର୍ଥିକ ଅନଟନ ଇଜାଜ୍ଙ୍କୁ ତାଙ୍କ ପରିବାରର ସ୍ବପ୍ନ ପୂରଣ କରିବାକୁ ରୋକି ପାରନଥିଲା ।
ନିଜ ସ୍ବଳ୍ପ ଆମଦାନୀରେ ଗୋଟିଏ ଗୋଟିଏ ଟଙ୍କା ଯୋଡ଼ି ପୁଅକୁ ସିଏ କୋଚିଂ ପାଇଁ କୋଲକାତା ଓ ବାଙ୍ଗାଲୋର ପଠାଇଥିଲେ ବାପା ଅବଦୁଲ ଗଫାର । ପରିବାର କଷ୍ଟକୁ ବ୍ୟର୍ଥ ହେବାକୁ ଦେଇନଥିଲେ ଇଜାଜ୍ ଗଫାର । ମନ ଲଗାଇ ପାଠ ପଢ଼ିବା ପାଇଁ ଦିନରାତି ଏକ କରି ଦେଇଥିଲେ । ଯାହାର ଫଳ ମଧ୍ୟ ଆଜି ଇଜାଜ୍ଙ୍କୁ ମିଳିଛି ।
ଇଜାଜ୍ଙ୍କ ଏହି ସଫଳତା ଝାରସୁଗୁ଼ଡ଼ା ଜିଲ୍ଲାରେ ତାଙ୍କ ପରିବାର ପାଇଁ ଏକ ନୂଆ ପରିଚୟ ସୃଷ୍ଟି କରିଛି । ଏହାପରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ମଧ୍ୟ ଛୁଟିବାରେ ଲାଗିଛି । ଅଦମ୍ୟ ଚେଷ୍ଟା ଓ ଦୃଢ଼ ପ୍ରତିଜ୍ଞା କଲେ, ସଫଳତା ସୁନିଶ୍ଚିତ ବୋଲି କହିଛନ୍ତି ଇଜାଜ୍ । ଇଜାଜ୍ ସ୍ଥାନୀୟ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ପାଇଁ ବର୍ତ୍ତମାନ ପ୍ରରଣା ପାଲଟି ଯାଇଛନ୍ତି ।
ଝାରସୁଗୁଡ଼ାରୁ ରବି ନାରାୟଣ ସାହୁ, ଇଟିଭି ଭାରତ