ଝାରସୁଗୁଡା: ଏହା କୌଣସି ଆଦିବାସୀ ବହୁଳ ଅଥବା ଦୁର୍ଗମ ଅଞ୍ଚଳ ନୁହେଁ । ଏହା ହେଉଛି ଶିଳ୍ପ ଓ ଖଣି ଖାଦାନଭରା ଝାରସୁଗୁଡ଼ା ଜିଲ୍ଲାର ଦୃଶ୍ୟ । ସଦର ବ୍ଲକ ଗଉଡ଼ମାଲ ପଞ୍ଚାୟତର ବଡ଼ଯୋବ ରାସ୍ତାର ଛେଲକୁଠି ରାସ୍ତାରେ ଆମ୍ବୁଲାନ୍ସ ଯାଇ ନପାରିବାରୁ ଜଣେ ରୋଗୀଙ୍କୁ 3 କିମି ବାଇକରେ ବୁହାଯାଇ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନିଆଯାଇଥିବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଘଟଣାରୁ ପ୍ରକାଶ ଯେ, ବଡ଼ଯୋବ ନିକଟରେ ଏକ ଅଜଣା ବୃଦ୍ଧ ମୁମୂର୍ଷୁ ଅବସ୍ଥାରେ ପଡ଼ିଥିବା ଦେଖି ଗଉଡ଼ମାଲ ସରପଞ୍ଚ 108କୁ ଖବର ଦେଇଥିଲେ । 108 ରୋଗୀକୁ ନେବା ପାଇଁ ଯାଉଥିବା ବେଳେ ପୁଟୁରାଡ଼େରାଠାରୁ ଆଉ ଆଗକୁ ଯାଇ ପାରିନଥିଲା । ଫଳରେ କିଛି ଯୁବକ ଏକ ବାଇକରେ ଉକ୍ତ ବୃଦ୍ଧଙ୍କୁ ଆଣିଥିଲେ ।
ଏଠାରେ ପ୍ରକାଶ ଥାଉକି ଓପିଜିସି ନିର୍ମାଣ କରୁଥିବା ମନୋହରପୁର ରେଳ ଲାଇନ ଯୋଗୁଁ ଜଳ ନିଷ୍କାସନ ହୋଇ ପାରୁନାହିଁ । ଏହି ରାସ୍ତାରେ ଥିବା ଅଣ୍ଡର ବ୍ରିଜ ଦେଇ ପାଣି ଯାଉଥିବାରୁ ରାସ୍ତା ଧୋଇ ହୋଇଯାଇଛି । ଏଥିଯୋଗୁଁ ଏହି ରାସ୍ତାରେ ଯାତାୟତ ସମସ୍ୟା ଦୀର୍ଘଦିନରୁ ଲାଗି ରହିଛି ।
ଝାରସୁଗୁଡାରୁ ରବି ନାରାୟଣ ପାଣି, ଇଟିଭି ଭାରତ