ଝାରସୁଗୁଡା: ପ୍ରଦୂଷଣକୁ ନେଇ ସର୍ବତ୍ର ଚର୍ଚ୍ଚା ଜୋର ଧରିଛି । ତେବେ ଶିଳ୍ପସମୃଦ୍ଧ ଝାରସୁଗୁଡ଼ାରେ ବାୟୁ ପ୍ରଦୂଷଣ ମାତ୍ରା ସାଧାରଣ ଜୀବନକୁ ଅସ୍ତବ୍ୟସ୍ତ କରୁଛି । ବଢ଼ୁଥିବା ପ୍ରଦୂଷଣକୁ ନେଇ ଅନେକ ପରିବେଶବିତ୍ ଚିନ୍ତାବ୍ୟକ୍ତ କରିଛନ୍ତି । କେବଳ ଝାରସୁଗୁଡ଼ା ନୁହେଁ, ବ୍ରଜରାଜନଗର ଓ ବେଲପାହାଡ ସହର ସମେତ ବିଭିନ୍ନ ଗ୍ରାମାଞ୍ଚଳକୁ ଏବେ ପ୍ରଦୂଷଣ ଗ୍ରାସ କରିସାରିଲାଣି ।
ବର୍ଦ୍ଧିତ ବାୟୁ ପ୍ରଦୂଷଣର ମାତ୍ରାକୁ ନେଇ ଅନେକ ସର୍ଭେ ସଂସ୍ଥା ଚିନ୍ତାଜନକ ରିପୋର୍ଟ ପ୍ରଦାନ କରିଛନ୍ତି । ଜିଲ୍ଲାରେ କୋଇଲା ଖଣି ଥିବାରୁ କୋଇଲା ଉତ୍ତୋଳନ ଓ ପରିବହନ ବାୟୁ ପ୍ରଦୂଷଣର ମୁଖ୍ୟ କାରଣ ସାଜୁଛି । ଏଥିସହିତ କାରଖାନରୁ ନିର୍ଗତ ବିଷାକ୍ତ ବର୍ଜ୍ୟବସ୍ତୁ ବିଭିନ୍ନ ଜଳ ଭଣ୍ଡାରରେ ମିଶୁଛି । ଜିଲ୍ଲାରେ ଥିବା ତାପଜ ବିଦ୍ୟୁତ କାରଖାନା ଓ ଲୁହା କାରଖାନା ଗୁଡ଼ିକରେ ଦୈନିକ ହଜାର ହଜାର ଟନ୍ କୋଇଲା ଦହନ ହେଉଛି । ଫଳରେ ଏଥିରୁ ବାହାରୁଥିବା ସଲଫର୍ ଡାଇଅକ୍ସାଇଡ଼୍, ନାଇଟ୍ରୋଜେନ୍ ଅକ୍ସାଇଡ଼୍, କାର୍ବନ ମନୋକ୍ସାଇଡ଼ ଭଳି ମାରାତ୍ମକ ଗ୍ୟାସ ଓ ରସାୟନିକ ଦ୍ରବ୍ୟ ବାୟୁ ମଣ୍ଡଳରେ ମିଶୁଛି । ଖାଲି ସେତିକି ନୁହେଁ କାରଖାନା ଗୁଡିକରୁ ବିଭିନ୍ନ କଠିନ ବର୍ଜ୍ୟ ତଥା ଫ୍ଲାଏ ଆସ୍ (ପାଉଶ ) ଯୋଗୁଁ ନିଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ ହେଉଥିବା ଅଭିଯୋଗ ହେଉଛି ।
ଜିଲ୍ଲାର ବିଭିନ୍ନ ଦୂଷିତ ଜଳାଶୟରେ ମାଛ ମଡ଼କ ଘଟଣା ମଧ୍ୟ ସାମ୍ନାକୁ ଆସୁଛି । ଅତୀତରେ ବିଷାକ୍ତ ଗ୍ୟାସ ପାଇଁ ଚାଷଜମି ପୋଡ଼ିଯାଇ, ଲକ୍ଷାଧିକ ଟଙ୍କାର ଫସଲ କ୍ଷତି ହୋଇଥିବା ଘଟଣା ନଜିର ରହିଛି । ଶିଳ୍ପାୟନ ସହିତ ଖଣି ସଂପ୍ରସାରଣ ଜିଲ୍ଲାରେ ଜଙ୍ଗଲ ସମ୍ପଦକୁ ମଧ୍ୟ ପ୍ରଭାବିତ କରୁଥିବା ଜଣାପଡିଛି । ମହାନଦୀର ଶାଖା ନଦୀ ଇବ୍ ଓ ଭେଡ଼େନ ନଦୀର ପ୍ରଦୂଷିତ ଜଳ ଭାବରେ ହୀରାକୁଦ ଜଳଭଣ୍ଡାରର ଜଳରେ ମିଶିବା ଆଶଙ୍କା ଦେଖାଦେଇଛି ।
ଜିଲ୍ଲାରେ ବାସ୍ତବରେ ଶିଳ୍ପ ଜନିତ ପ୍ରଦୂଷଣର ପ୍ରଭାବ ବହନ କରିବାର କ୍ଷମତା ମୂଲ୍ୟାୟନ କରିବାକୁ ଦାବି ହୋଇଛି । ପ୍ରଶାସନ ଓ ବିଭିନ୍ନ କମ୍ପାନୀ ମଧ୍ୟରେ ବର୍ଜ୍ୟବସ୍ତୁ ସୁପରିଚାଳନାକୁ ନେଇ ସ୍ବଚ୍ଛତା ନଥିବା ମଧ୍ୟ ଅଭିଯୋଗ ହୋଇଛି । ଏହି ବିଷମୟ ପରିବେଶରେ ବଞ୍ଚୁଥିବା ସାଧାରଣ ଲୋକଙ୍କ ସ୍ବାସ୍ଥ୍ୟରେ ଦୃତ ଅବନତି ହେବା ସହିତ ଶ୍ବାସ ଓ ହୃଦୟ ଜନିତ ରୋଗ ବଢ଼ୁଥିବା ମଧ୍ୟ ଜଣାପଡିଛି ।
ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ