ଝାରସୁଗୁଡା: ପଡୋଶୀ ରାଜ୍ୟ ସହିତ ସୀମା ବିବାଦକୁ ନେଇ ଦ୍ଵନ୍ଦ୍ବରେ ରାଜ୍ୟ ସରକାର । ବିଧାନସଭାରେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଉତ୍ତର ରାଜ୍ୟ ସରକାରଙ୍କ କାର୍ଯ୍ୟଶୈଳୀ ନେଇ ବର୍ତ୍ତମାନ ପ୍ରଶ୍ନବାଚୀ ସୃଷ୍ଟି କଲାଣି । କୋଟିଆ ବିବାଦ ରାଜ୍ୟ ସରକାରଙ୍କ ମୁଣ୍ଡ ବ୍ୟଥାର କାରଣ ସାଜିଥିବା ବେଳେ ଅନ୍ୟପଟେ ବିଧାନସଭାରେ ସରକାରଙ୍କ ତରଫରୁ ଦିଆଯାଉଥିବା ଉତ୍ତର, ସୀମା ନେଇ ସରକାର କେତେ ଗମ୍ଭୀର ତାକୁ ପଦାରେ ପକାଇଛି । ତେବେ ଝାରସୁଗୁଡାରେ ସୀମା ବିବାଦକୁ ନେଇ ଇଟିଭି ଭାରତ ଗ୍ରାଉଣ୍ଡ ଜିରୋକୁ ଯାଇ ସ୍ଥିତି ପରଖିଛି । ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ବିବାଦୀୟ ସ୍ଥାନକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏନେଇ ଖୁବଶୀଘ୍ର ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯିବ ବୋଲି ଝାରସୁଗୁଡା ଜିଲ୍ଲାପାଳ କହିଛନ୍ତି ।
ଓଡିଶା-ଛତିଶଗଡ଼ ସୀମାନ୍ତ ଝାରସୁଗୁଡା ଜିଲ୍ଲା ଲଖନପୁର ତହସିଲ ଅନ୍ତର୍ଗତ କନକତୋରା ପଞ୍ଚାୟତର ଝାରଗାଁର ଗ୍ରାମ ଦୀର୍ଘ ୩୦ ରୁ ୪୦ ବର୍ଷ ହେବ ଛତିଶଗଡ ସହିତ ସୀମା ବିବାଦ ଲାଗି ରହିଛି । ୨୦୧୮ ମସିହାରେ ରାଉରକେଲାର ତତ୍କାଳୀନ ବିଧାୟକ ଦୀଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ତତ୍କାଳୀନ ରାଜସ୍ବ ମନ୍ତ୍ରୀ ବିଧାନସଭାରେ ଉତ୍ତର ରଖି ଓଡିଶାର ୧୦ ଟି ଜିଲ୍ଲାର ୯୬ଟି ଗାଁ ସହିତ ପଡୋଶୀ ଛତିଶଗଡ, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଝାରଖଣ୍ଡର ସୀମା ବିବାଦ ଲାଗିଥିବା ଉଲ୍ଲେଖ କରିଥିଲେ । ଏଥିରେ ଝାରସୁଗୁଡା ଜିଲ୍ଲାର ଏକମାତ୍ର ଗାଁ ଝାରଗାଁ ସହିତ ଛତିଶଗଡ ରାଜ୍ୟର ସୀମା ବିବାଦ ଥିବା ମନ୍ତ୍ରୀ ବିଧାନସଭାରେ ପ୍ରଶ୍ନର ଉତ୍ତରରେ କହିଥିଲେ ।
ତେବେ ଚଳିତବର୍ଷ ବିଧାନସଭାରେ ରାଜସ୍ୱ ମନ୍ତ୍ରୀ ଓଡିଶାର ସାତଟି ଜିଲ୍ଲାର ୪୪ ଟି ଗାଁ ସହିତ ସୀମା ବିବାଦ ଥିବା ଉଲ୍ଲେଖ କରିଛନ୍ତି । ତେବେ ୩ ବର୍ଷ ମଧ୍ୟରେ ୫୨ଟି ଗାଁର ସୀମା ବିବାଦ ସମାଧାନ କରି ଦେଲେ କି ? ସୀମା ବିବାଦକୁ ନେଇ ରାଜ୍ୟ ସରକାର ବ୍ୟାକ ଫୁଟରେ ଥିବା ବେଳେ ରାଜସ୍ୱ ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଝାରଗାଁ ଗ୍ରାମବାସୀଙ୍କ କହିବା ଅନୁଯାୟୀ ଝାରଗାଁକୁ ଗଜମାଲ ପାହାଡ ଓ ମହୁଲପାହାଡ ଘେରିରହିଛି । ତେବେ ଗଜମାଲ ପାହାଡ ତତକାଳୀନ ମଧ୍ୟପ୍ରଦେଶ ଓ ବର୍ତମାନ ଛତିଶଗଡ ସହିତ ଥିବା ବେଳେ ମହୁଲପହାଡ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପାଇଲା ପରେ ଓଡିଶା ସହିତ ଥିଲା । ଝାରଗାଁ ସୀମାକୁ ଲାଗି ରହିଥିବା ମହୁଲପାହାଡ ବର୍ମା ବନ୍ଦୋବସ୍ତ ସମୟରେ ଓଡିଶାର ଝାରଗାଁ ସଂରକ୍ଷିତ ଜଙ୍ଗଲ ରୂପରେ ରହିଥିଲା । ପରେ ମେଜର ବନ୍ଦୋବସ୍ତ ସମୟରେ ସ୍ଥାନୀୟ ଲୋକ କି ରାଜ୍ୟ ସରକାର କୁ ନ ଜଣାଇ ଛତିଶଗଡ ନିଜ କବଜାକୁ ନେଇ ଯାଇଛି । ଏ ନେଇ ବିଭିନ୍ନ ସମୟରେ ଅଭିଯୋଗ ମଧ୍ୟ ହୋଇଛି । ଆମ ରାଜ୍ୟର ଲୋକ ମାନଙ୍କୁ ସେଠାକୁ ପୁରାଇ ଦିଆଯାଉନାହିଁ ତାହା ସହ ଲୋକଙ୍କୁ ହଇରାଣ କରାଯାଉଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ହେଲେ ଏତିକି ସମୟରେ ରାଜସ୍ବ ମନ୍ତ୍ରୀ ବିଧାନସଭାରେ ଦେଇଥିନା ବୟାନକୁ ନେଇ ବିଭିନ୍ନ ପ୍ରଶ୍ନ ସୃଷ୍ଟି ହେଉଛି । ବାସ୍ତବରେ ସମାଧାନ ହୋଇଛି ନା ସରକାର ଏହି ପ୍ରସଙ୍ଗରୁ ଓହରି ଯାଇଛନ୍ତି ତାକୁ ନେଇ ବିଭିନ୍ନ ପ୍ରଶ୍ନ ସୃଷ୍ଟି ହେବାରେ ଲାଗିଛି ।
ଅନ୍ୟପଟେ ସୀମାନ୍ତ ଅଞ୍ଚଳରେ ମୌଳିକ ସେବା ଯୋଗାଇ ଦେଉଥିବା ଡିଣ୍ଡିମ ପିଟୁଥିବା ବେଳେ ଝାରଗାଁରେ ତାର ଓଲଟା ଚିତ୍ର ଦେଖିବାକୁ ମିଳିଛି । ଝାରସୁଗୁଡା ଜିଲ୍ଲାର ସମୁଦାୟ ୨୧ ଗାଁ ଛତିଶଗଡ ସହିତ ସୀମା ଲାଗିରହିଛି । ସୀମା ବିବାଦ ନେଇ ରାଜସ୍ବ ମନ୍ତ୍ରୀଙ୍କ ଉତ୍ତର ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖା ଦେବା ପରେଝାରସୁଗୁଡା ଉପଜିଲ୍ଲାପାଳ ଓ ଲଖନପୁର ତହସିଲଦାର ଝାରଗାଁ ଗସ୍ତ କରି ସୀମା କୁ ନେଇ ଦେଖାଦେଇଥିବା ବିବାଦ ସମ୍ପର୍କରେ ଗ୍ରାମବାସୀ ସହିତ ଆଲୋଚନା କରିଛନ୍ତି । କୋଟିଆ ପରି ଘଟଣା ଘଟିବା ପୂର୍ବରୁ ସ୍ଥିତି ନିୟନ୍ତ୍ରଣ କରିବାକୁ ଗ୍ରମାବାସୀ ମାନେ ଦାବି କରିଛନ୍ତି । ଅନ୍ୟପଟେ ଏ ଦିଗରେ ସମସ୍ତ ରେକର୍ଡ ସଂଗ୍ରହ କରାଯାଇ ରାଜ୍ୟ ସରକାରଙ୍କୁ ଅବଗତି କରାଯିବ ବୋଲି କହିଛନ୍ତି ଝାରସୁଗୁଡା ଜିଲ୍ଲାପାଳ ସରୋଜ ସାମଲ । ଗୋଟିଏ ପଟେ ସୀମାବର୍ତ୍ତି ଅଂଚଳର ବିକାଶ ପାଇଁ ଜିଲ୍ଲାପ୍ରଶାସନ ସ୍ୱତନ୍ତ୍ର ଧ୍ୟାନ ଦେବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ହେଲେ ଝାରଗାଁ ର ବିକାଶ ଆଜି ପର୍ଯ୍ୟନ୍ତ ହୋଇପାରିନାହିଁ । ସ୍ଥାନୀୟ ଲୋକ ମାନେ ଝାରଗାଁକୁ ଏକ ପର୍ଯ୍ୟଟନ ସ୍ଥଳୀ ମାନ୍ୟତା ଦିଆଯାଉ ବୋଲି ଦାବି କରିଛନ୍ତ । ଝାରଗାଁକୁ ଯିବା ପାଇଁ ଭଲ ରାସ୍ତା ଟିଏ ର ମଧ୍ୟ ସୁବିଧା ନାହିଁ ତାହା ସହ ଏ ଅଞ୍ଚଳର ଛାତ୍ର ଛାତ୍ରୀ ମାନଙ୍କ ପାଠ ପଢିବା ପାଇଁ କଲେଜ ନାହିଁ ଯେଉଁଥିପାଇଁ ଛାତ୍ର ଛାତ୍ରୀ ମାନେ ପାଠ ପଢିବା ପାଇଁ ଅନ୍ୟ ଜିଲ୍ଲା ସହ ଛତିଶଗଡ ଉପରେ ନିର୍ଭର କରିଥାନ୍ତି । ବିଭିନ୍ନ ସମୟରେ ଗ୍ରାମବାସୀ ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲାପ୍ରଶାସନର ଦ୍ୱାରସ୍ଥ ହେଲେ ମଧ୍ୟ କେହି ଶୁଣୁନଥିବା ଅଭିଯୋଗ ହେଉଥିବା ବେଳେ ସ୍ଥାନୀୟ ବିଧାୟକ କିଶୋର ମହାନ୍ତି ପ୍ରଶାସନ ସ୍ୱତନ୍ତ୍ର ଭାବେ ସୀମାନ୍ତବର୍ତ୍ତି ଅଞ୍ଚଳ ପ୍ରତି ଧ୍ୟାନ ଦେବା ପାଇଁ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଛନ୍ତି ।
ଓଡିଶା ସୀମାରେ ପ୍ରବେଶ କରି ଛତିଶଗଡର ପ୍ରଶାସନିକ ଅଧିକାରୀ ସ୍ଥାନୀୟ ଲୋକଙ୍କୁ ହଇରାଣ କରୁଥିବା ବହୁବାର ଅଭିଯୋଗ ହୋଇଛି । ତେବେ ରାଜ୍ୟ ର ଅମୁଲ୍ୟ ସମ୍ପଦ ଅନ୍ୟ ରାଜ୍ୟ ପାଖରେ ଅଛି ।ଏହାକୁ ପୁଣି ନିଜ ରାଜ୍ୟରେ ସାମିଲ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ପ୍ରଥମେ କୋଟିଆ ଆଉ ଏବେ ଝରଗାଁ । ମୌଳିକ ସୁବିଧାରୁ ବଞ୍ଚିତ ଏଠାକାର ଅଞ୍ଚଳବାସୀ ଛତିଶଗଡ ଉପରେ ନିର୍ଭର କରିଥାନ୍ତି । ଯଦି ଉଚିତ ସମୟରେ ସରକାର ସ୍ଥିତି ପରଖି ପଦକ୍ଷେପ ନ ନିଅନ୍ତି ଏଠାରେ ସୀମା ବିବାଦ ସାଂଘାତିକ ରୂପ ନେବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି ଅଞ୍ଚଳବାସୀ ।
ଝାରୁସୁଗୁଡାରୁ ରବିନାରାୟଣ ସାହୁ, ଇଟିଭି ଭାରତ