ଯାଜପୁର: ମୃତ୍ୟୁ କେତେବେଳେ କେମିତି କେଉଁ ପରିସ୍ଥିତିରେ ଆସିବ ତାହା ଜାଣିବା ସାମାନ୍ୟ ମଣିଷ ପକ୍ଷେ ସମ୍ଭବ ନୁହେଁ । ଅସୁସ୍ଥ ପତ୍ନୀ ପତିଙ୍କ ସହ ଡାକ୍ତରଖାନା ଯାଉଥିଲେ । ସୁସ୍ଥ ହେବା ପାଇଁ ଉଭୟେ ପତିପତ୍ନୀ ଘରୁ ବାହାରି ଯାଇଥିଲେ ଡାକ୍ତରଖାନାକୁ ।ହେଲେ ବିଦ୍ଧିର ବିଧାନ ଥିଲା ଅନ୍ୟ କିଛି । ବାଟରେ ଛକି ରହିଥିଲା ମୃତ୍ୟୁ, ସ୍ବାମୀ କିଛି ବୁଝିବା ପୂର୍ବରୁ ସ୍ତ୍ରୀଙ୍କୁ ନେଇଯାଇଥିଲା ମୃତ୍ୟୁ । ଦିନେ ଉଭୟେ ଅଗ୍ନୀକୁ ସାକ୍ଷୀରଖି ସାତଜନ୍ମ ପାଇଁ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ହେଲେ ସ୍ବାମୀଙ୍କୁ ଏକା ଛାଡି ଦେଇ ସ୍ତ୍ରୀ ଚାଲିଯାଇଛନ୍ତି ।
ଏମିତି ଏକ ଅଭାବନୀୟ ହୃଦୟ ବିଦାରକ ଦୃଶ୍ୟ ଗତକାଲି ଯାଜପୁର ଜିଲ୍ଲା ବରୀ ଥାନା ଅଧିନସ୍ଥ ଛତିଆ-ଚମ୍ପାପୁର ରାସ୍ତାରେ ଘଟିଛି । ଛତିଆ-ଚମ୍ପାପୁର ଦେଇ ଗତକାଲି କଇଥା ପଞ୍ଚାୟତର ଲାଲ ବେଗି ଗ୍ରାମର ଶାନ୍ତି ପାଲ ଓ ତାଙ୍କ ସ୍ୱାମୀ ଅନନ୍ତ ପାଲ ସାଇକେଲ ଯୋଗେ ଡାକ୍ତରଖାନା ଯାଉଥିଲେ । ଛତିଆ-ଚମ୍ପାପୁର ମାର୍ଗରେ ଥିବା ଏକ ହମ୍ପସକୁ ପାରି ହେଥିବା ବେଳେ ଭାରସାମ୍ୟ ହରାଇ ପତ୍ନୀ ଶାନ୍ତି ପାଲ ସାଇକେଲରୁ ଖସି ପଡିଥିଲେ । ପଛପଟୁ ଆସୁଥିବା ଏକ ମିନି ଡ଼ମ୍ଫର ନଂ OR 16 -C -2247 ଶାନ୍ତି ପାଲଙ୍କ ମୁଣ୍ଡ ଉପରେ ଚଢିଯାଇଥିଲା ।
ଘଟଣାସ୍ଥଳରେ ହିଁ ଶାନ୍ତିଙ୍କ ପ୍ରାଣବାୟୁ ଉଡିଯାଇଥିଲା । ଘଟଣାର ସମସ୍ତ ଚିତ୍ର ନିକଟରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଯାଇଥିଲା । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବା ସହ ଲୋକେ କ୍ଷତିପୂରଣ ଦାବିରେ ଲୋକେ ରାସ୍ତା ଅବରୋଧ କରିଥିଲେ ।
ପରେ ଘଟଣା ସଂପର୍କରେ ଖବର ପାଇ ଦର୍ପଣୀ ତହସିଲଦାର ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହିତ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ସହାୟତା କରିବା ପରେ ରାସ୍ତାରୋକ ହଟିଥିଲା ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ