ଯାଜପୁର: ଦାନଗଦି ବ୍ଲକର ଆଦିବାସୀ ଅଧ୍ୟୁଷିତ ଟମକା ଅଞ୍ଚଳର ପାଇକାଳୀ ବଗପାଟିଆ ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ଓସ୍ତପାଳ ସ୍କୁଲରେ ମିଶ୍ରଣକୁ ଗ୍ରାମବାସୀଙ୍କ ବିରୋଧ । ଅଭିଭାବକ ଓ ଛାତ୍ରଛାତ୍ରୀ ମହଲରେ ଦେଖାଦେଇଛି ଅସନ୍ତୋଷ । ଗରିବ ଖଟିଖିଆ ଦଳିତ ଓ ଆଦିବାସୀ ଶ୍ରେଣୀର ପିଲାଙ୍କୁ ଶିକ୍ଷାଦାନ ନିମନ୍ତେ ଏଭଳି ଏକ ନିପଟ ମଫସଲରେ ଦୀର୍ଘ ପ୍ରାୟ 20ବର୍ଷ ତଳୁ ଏହି ସ୍କୁଲଟି ସ୍ଥାପିତ ହୋଇଥିଲା । ହଠାତ ସରକାର ଏହାକୁ ସ୍ଥାନାନ୍ତର ପାଇଁ ନିଷ୍ପତ୍ତି ନେବା ପରେ ଏହାକୁ ତୀବ୍ର ବିରୋଧ କରିଛନ୍ତି ଗ୍ରାମବାସୀ ।
କମ୍ ବ୍ୟବଧାନରେ ଥିବା ସ୍କୁଲ ଗୁଡିକୁ ମିଶାଇ ଗୋଟିଏ ସ୍କୁଲରେ ପରିଣତ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି କ୍ରମରେ ଦାନଗଦି ବ୍ଲକ୍ ପାଇକାଳୀ ବଗପାଟିଆ ପ୍ରାଥମିକ ବିଦ୍ୟାଳୟକୁ ଓସ୍ତପାଳ ସ୍କୁଲରେ ମିଶାଇବାକୁ ସରକାରୀ ସ୍ତରରେ ହୋଇଛି ନିଷ୍ପତ୍ତି । ଯାହାକୁ ବିରୋଧ କରୁଛନ୍ତି ଗ୍ରାମବାସୀ । ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ । ଦୀର୍ଘ ପ୍ରାୟ 20ବର୍ଷ ତଳୁ ଏଠାରେ ଏହି ସ୍କୁଲଟି କାର୍ଯ୍ୟକ୍ଷମ ହୋଇଆସୁଥିଲା । ସ୍କୁଲର ପିଲା ସଂଖ୍ୟା 50ରୁ ଊର୍ଦ୍ଧ୍ବ ଥିବାବେଳେ ଆବଶ୍ୟକ ସଂଖ୍ୟକ ଶ୍ରେଣୀଗୃହ ଓ ଶିକ୍ଷକ ମଧ୍ୟ ନିୟୋଜିତ ହୋଇଛନ୍ତି । ମାତ୍ର ରାତିଅଧିଆ ଏହାକୁ ଅନ୍ୟତ୍ର ସ୍ଥାନାନ୍ତରକୁ ଗ୍ରାମବାସୀ ତୀବ୍ର ବିରୋଧ କରିଛନ୍ତି । ନୂଆ ସ୍କୁଲଟି ଏହି ଜନବସତିରୁ ପ୍ରାୟ ଦେଢ କିଲୋମିଟର ଦୂରରେ ଥିବାରୁ ପିଲାମାନେ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ସେଥିଲାଗି ଅଭିଭାବକମାନେ ମଧ୍ୟ ସେମାନଙ୍କ ପିଲାଙ୍କୁ ନୂତନ ସ୍କୁଲକୁ ନ ଛାଡିବାକୁ ଜିଦ୍ ଧରିଛନ୍ତି । ଏଭଳି ସ୍ଥିତିରେ ପିଲାଙ୍କ ପାଠପଢା ବାଧାପ୍ରାପ୍ତ ହେବାର ସମ୍ଭାବନା ଦେଖାଦେଇଛି । ତୁରନ୍ତ ନିଷ୍ପତ୍ତି ବଦଳାଇ ଏହି ସ୍କୁଲକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ ।
ଏଭଳି ଏକ ଅନୁନ୍ନତ ଅଞ୍ଚଳରେ ସମସ୍ତ ଭିତ୍ତିଭୂମିର ସୁବିଧା ଥାଇ ମଧ୍ୟ କାହିଁକି ସ୍କୁଲକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ ବୋଲି ପ୍ରଶ୍ନ ଉଠାଇଛନ୍ତି ଅଭିଭାବକ । ଏହା ଦ୍ବାରା ପିଲାଙ୍କ ପାଠପଢା ନିଶ୍ଚିତ ରୂପେ ବାଧାପ୍ରାପ୍ତ ହେବ ବୋଲି ଯୁକ୍ତି ବାଢିଛନ୍ତି ଗ୍ରାମବାସୀ । ଫଳରେ ସ୍କୁଲ ସ୍ଥାନାନ୍ତର ନିଷ୍ପତ୍ତିକୁ ନେଇ ସ୍ଥାନୀୟ ଅଞ୍ଚଳରେ ଦେଖାଦେଇଛି ଜନଅସନ୍ତୋଷ । ଫଳରେ ଅଭିଭାବକମାନେ ପ୍ରତିକ୍ରିୟା ପ୍ରକାଶ କରିବା ସହ ପିଲାମାନେ ମଧ୍ୟ ନୂତନ ସ୍କୁଲକୁ ପାଠପଢି ଯିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି । ନିଷ୍ପତ୍ତି ନ ବଦଳାଇଲେ ଗ୍ରାମବାସୀ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି । ଗୋଟିଏ ପଟେ ଅଭିଭାବକଙ୍କ ବିରୋଧ ଯୋଗୁଁ ସ୍କୁଲରେ ଉପସ୍ଥାନ ରହୁନଥିବାବେଳେ ଅନ୍ୟପଟେ ସରକାରୀ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ ବାଧ୍ୟ ହେଉଛନ୍ତି ବ୍ଲକ୍ ଶିକ୍ଷା ଅଧିକାରୀ । ସମସ୍ୟା ସମ୍ପର୍କରେ ଆମେ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ ପ୍ରତିକ୍ରିୟା ନେଇଥିଲୁ । ସେ କହିଲେ ସରକାରୀ ଗାଇଡ୍ ଲାଇନ୍ ଅନୁସାରେ ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରାଯାଇଛି । ତେବେ ଗ୍ରାମବାସୀଙ୍କ ଅଭିଯୋଗ ନେଇ ସେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରିବେ ଏବଂ ପରବର୍ତ୍ତୀ ନିର୍ଦ୍ଦେଶ ଅନୁଯାୟୀ ପଦକ୍ଷେପ ନିଆଯିବ ।
ଏହା ଦ୍ବାରା ପିଲାମାନଙ୍କୁ ପାଠ ପଢିବା ପାଇଁ ପ୍ରାୟ ଦେଢ କିଲୋମିଟରରୁ 2କିଲୋମିଟର ରାସ୍ତା ଅତିକ୍ରମ କରିବାକୁ ପଡିବ । ସ୍କୁଲରେ ଛାତ୍ରଛାତ୍ରୀ ସଂଖ୍ୟା 50ରୁ ଊର୍ଦ୍ଧ ଥିବାବେଳେ ଆବଶ୍ୟକ ଶ୍ରେଣୀଗୃହ ଓ ଶିକ୍ଷକ ନିୟୋଜିତ ଥିବା ଗ୍ରାମବାସୀ ଦର୍ଶାଇଛନ୍ତି । ଆଦିବାସୀ ଅଧ୍ୟୁଷିତ ଅନୁନ୍ନତ ଅଞ୍ଚଳରେ ପିଲାଙ୍କୁ ଶିକ୍ଷିତ କରିବାକୁ ସରକାରୀ ସ୍ତରରେ ଜାରି ରହିଛି ଉଦ୍ୟମ । ଏ କ୍ଷେତ୍ରରେ ସ୍କୁଲ ସ୍ଥାନାନ୍ତର ନେଇ ନିୟମ କୋହଳ କରିବାକୁ ବିଭାଗୀୟ ମନ୍ତ୍ରୀ ମଧ୍ୟ ପ୍ରତିଶୃତି ଦେଇଛନ୍ତି । ତଦନୁଯାୟୀ ପାଇକାଳୀ ବଗପାଟିଆ ସ୍କୁଲକୁ ଅନ୍ୟତ୍ର ସ୍ଥାନାନ୍ତର ନକରିବାକୁ ଅଭିଭାବକ ମହଲରେ ଦାବି ହୋଇଛି । ଏହି ନିଷ୍ପତ୍ତି ପ୍ରତିବାଦରେ ଅଭିଭାବକମାନେ ପିଲାଙ୍କୁ ସ୍କୁଲ ଛାଡୁନଥିବା ଜଣାପଡିଛି । ସେପଟେ ବ୍ଲକ ଶିକ୍ଷାଧିକାରୀ କହିଲେ ଲୋକଙ୍କ ଅଭିଯୋଗ ସମ୍ପର୍କରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇବେ ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା,ଇଟିଭି ଭାରତ