ଯାଜପୁର: ଅଧା ରହିଗଲା ଜଗା ଦର୍ଶନ । ପୁରୀ ଯାଉଥିବା ବେଳେ ବାଟରେ ଛକି ବସିଥିଲା ଯମ । ଯାଜପୁର ଜିଲ୍ଲାରେ ଆଜି(ମଙ୍ଗଳବାର) ଭୋରୁ ଭୋରୁ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି । ପାଣିକୋଇଲି ନିକଟସ୍ଥ 16 ନମ୍ବର ଜାତୀୟ ରାଜପଥ ଶର୍ମା ପେଟ୍ରୋଲ ଟାଙ୍କି ଛକ ନିକଟରେ ଏକ ପାସେଞ୍ଜର ଅଟୋ ସହିତ ଅଜଣା ଗାଡି ଧକ୍କା ହେବାରୁ 2 ଜଣଙ୍କ ମୃତ୍ୟୁ ଘଟିଛି ଏବଂ 5 ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଚିକିତ୍ସା ପାଇଁ ଯାଜପୁର ଟାଉନ ମେଡିକାଲକୁ ପଠାଯାଇଥିବା ସୂଚନା ମିଳିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଏହା ମଧ୍ୟ ପଢନ୍ତୁ: ଯୋଡିମାଦେଲି ଘାଟିରେ ଓଲଟିଲା କାର, 3 ମୃତ ଓ ଜଣେ ଗୁରୁତର
ସୂଚନା ଅନୁଯାୟୀ, ଆଜି(ମଙ୍ଗଳବାର) ଭୋର ସମୟରେ ଏକ ପାସେଞ୍ଜର ଅଟୋ ଗାଡ଼ିରେ କିଛି ଲୋକ ଭଦ୍ରକ ଜିଲ୍ଲାରୁ ପୁରୀ ଅଭିମୁଖେ ବାହାରିଥିଲେ l ଏହି ସମୟରେ ହଠାତ ଯାଜପୁର ଜିଲ୍ଲା 16 ନମ୍ବର ଜାତୀୟ ରାଜପଥ ଶର୍ମା ପେଟ୍ରୋଲ ଟାଙ୍କି ଛକ ନିକଟରେ ଏକ ଅଜଣା ଗାଡି ଅଟୋକୁ ଧକ୍କା ଦେଇ ଚାଲି ଯାଇଥିଲା । ଫଳରେ ଅଟୋଟି ଓଲଟି ପଡ଼ିଥିଲା l ଏହି ଦୁର୍ଘଟଣାରେ ଅଟୋରେ ବସିଥିବା ପାସେଞ୍ଜରଙ୍କ ମଧ୍ୟରୁ ଜଣେ ମହିଳା, ଜଣେ ପୁରୁଷଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ 5 ଜଣଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା । ସେପଟେ ଦୁର୍ଘଟଣା ଖବର ପାଇ ସ୍ଥାନୀୟ "ଆମେ ଆପଣଙ୍କ ପାଇଁ" ନାମକ ଏକ ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟମାନେ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଲୋକଙ୍କୁ ଚିକିତ୍ସା ପାଇଁ ଯାଜପୁର ଟାଉନ ମେଡିକାଲକୁ ପଠାଇଥିବା ସୂଚନା ମିଳିଛି l
ଏହାମଧ୍ୟ ପଢନ୍ତୁ.. ଅନୁଗୋଳରେ ଭୟଙ୍କର ଦୁର୍ଘଟଣା; ଟ୍ରକ ମାଡିଯିବାରୁ ୩ ମୃତ, ଜଣେ ଗୁରୁତର
ଦୁର୍ଘଟଣା ସମୟରେ ଅଟୋରେ ପାଖାପାଖି 7 ଜଣ ଯାତ୍ରୀ ରହିଥିଲେ । ମୃତକ ଓ ଗୁରୁତରମାନେ ଭଦ୍ରକ ଜିଲ୍ଲାର ହୋଇଥିବା ଜଣାପଡିଛି । ସମସ୍ତେ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ପୁରୀ ଯାଉଥିଲେ । ଜଗା ଦର୍ଶନ କରିବାକୁ ଯାଉଥିବା ବେଳେ ଏଭଳି ଅଘଟଣ ଶୋକାକୂଳ ପରିବେଶ ସୃଷ୍ଟି କରିଛି । ଅନ୍ୟପଟେ ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ପରିସ୍ଥିତିରେ ଏହି ଦୁର୍ଘଟଣା ହେଲା ତାହାର ଅନୁଧ୍ୟାନ ଆରମ୍ଭ କରିଛି । ଭୋର ସମୟ ହୋଇଥିବାରୁ ଅଧିକ ଲୋକ ନଥିବାରୁ ସେହି ଅଜଣା ଗାଡି ବିଷୟରେ କାହା ପାଖରେ କିଛି ସୂଚନା ନଥିବା ଜଣାପଡିଛି ।
ଇଟିଭି ଭାରତ, ଯାଜପୁର