ଯାଜପୁର: ରାଜ୍ୟର ଦିନକୁ ଦିନ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଗୁରୁବାର ସକାଳେ ଯାଜପୁର 16 ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଯେଉଁଥିରେ ଦୁଇଜଣଙ୍କର ଜୀବନ ଯାଇଛି ।
ସୂଚନାଅନୁସାରେ, ପାଣିକୋଇଲି ଥାନା ମୁକୁନ୍ଦବିନ୍ଧା ନିକଟରେ ଭୁବନେଶ୍ବର ଆଡୁ ଆସୁଥିବା ଗୋଟିଏ ୱାଗନରକୁ ଏକ ଆଇରନ ବୋଝେଇ ଟ୍ରକ ପଛପଟୁ ଧକ୍କା ଦେଇଛି । ଫଳରେ ୱାଗନରରେ ଥିବା ଦୁଇଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଜଣଙ୍କର ଅବସ୍ଥା ଗୁରୁତର ରହିଛି । ଗୁରୁତର ହୋଇଥିବା ସୁରେଜେନ୍ଦୁ କୁମାର ଦାସଙ୍କୁ କଟକ ସ୍ଥାନାନ୍ତରଣ କରାଯାଇଛି । ଦୁର୍ଘଟଣା ଘଟିବା ସମୟରେ ଘଟଣାସ୍ଥଳକୁ ସ୍ଥାନୀୟ ଲୋକ ଆସି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ । ଏହା ପରେ ପାଣିକୋଇଲି ପୋଲିସକୁ ଖବର ଦେଇଥିଲେ ।
ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ମୃତଦେହକୁ ଯାଜପୁର ଟାଉନକୁ ପଠାଇଥିଲା । ମୃତକ ଦୁଇଜଣ ହେଲେ ପୁରୀ ଜିଲ୍ଲା ନିମାପଡା ପାଇକ ସାହିର ଜୟରାମ ସାମନ୍ତ ଓ ଭୁବନେଶ୍ୱରର ରଶ୍ମିରଞ୍ଜନ ସେନାପତି । ମୃତ ରଶ୍ମିରଞ୍ଜନ ବାଲେଶ୍ୱର କୃଷି ବିଭାଗରେ ବରିଷ୍ଠ ଅଧିକାରୀ ଭାବରେ କାମ କରୁଥିଲେ । ଦୁର୍ଘଟଣା ଏପରି ଥିଲା ଯେ ୱାଗନରଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା । ପୋଲିସ ଟ୍ରକକୁ ଜବତ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି । ଦୁର୍ଘଟଣା ପାଇଁ ଅନେକ ସମୟ ରାସ୍ତା ଜାମ ରହିଥିଲା ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ