ଯାଜପୁର: ସ୍କୁଲ୍ ଅଛି, ଛାତ୍ରଛାତ୍ରୀ ଅଛନ୍ତି, ହେଲେ ଶିକ୍ଷକ ନାହାନ୍ତି । ଯାଜପୁର କୋରେଇ ବ୍ଲକ ପାଣିକୋଇଲି ପଞ୍ଚାୟତରେ ଥିବା ଚାନ୍ଦପୁର ପ୍ରାଥମିକ ବିଦ୍ୟାଳୟରେ ଏଭଳି ବିଚିତ୍ର ବ୍ୟବସ୍ଥା ଦେଖିବାକୁ ମିଳିଛି । ଶିକ୍ଷକ ନଥିବାରୁ ଛାତ୍ରଛାତ୍ରୀଙ୍କୁ ଉଚିତ ମାର୍ଗରେ ଶିକ୍ଷାଦାନ ହେଉନଥିବା ଅଭିଯୋଗ ହୋଇଛି । ଖାଲି ସେତିକି ନୁହେଁ ଶିକ୍ଷକ ନଥିବାରୁ ସ୍କୁଲ ପରିବେଶ ଉପରେ ମଧ୍ୟ ପ୍ରଭାବ ପଡ଼ିଛି । ସ୍କୁଲ୍ ଚାରି ପାର୍ଶ୍ବରେ ଆବର୍ଜନା ପଡ଼ି ଜଙ୍ଗଲର ଭ୍ରମ ସୃଷ୍ଟି କଲାଣି ।
ଚାନ୍ଦପୁର ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ପିଲା ପାଠ ପଢ଼ନ୍ତି । ମୋଟ ୭୨ ଜଣ ପିଲାଙ୍କ ଶିକ୍ଷାଦାନ ପାଇଁ ଜଣେ ମାତ୍ର ଶିକ୍ଷକ ଅଛନ୍ତି । ଶିକ୍ଷକ ଜଣକ ବି ପାଖ ମଣିପୁରୀ ସ୍କୁଲ୍ରୁ ଡେପୁଟେସନରେ ଆସି ପାଠ ପଢ଼ାଉଛନ୍ତି । ଯାହା ଫଳରେ ଛାତ୍ରଛାତ୍ରୀ ଉପଯୁକ୍ତ ଶିକ୍ଷା ପାଇବାରୁ ବଞ୍ଚିତ ହେଉଛନ୍ତି। ସରକାରଙ୍କ ନୂଆ ନିଷ୍ପତ୍ତି ଅନୁଯାୟୀ ୨୦୨୧ ମସିହାରେ ନିକଟରେ ଥିବା ଦାମୋଦରପୁର ପ୍ରାଥମିକ ବିଦ୍ୟାଳୟଟି ବନ୍ଦ ହୋଇ ଏହି ବିଦ୍ୟାଳୟ ସହ ମିଶ୍ରଣ ହୋଇଥିଲା । ପୂର୍ବରୁ ଏଠାରେ ଦୁଇଜଣ ଶିକ୍ଷକ ଥିଲେ। ବନ୍ଦ ସ୍କୁଲରୁ ୨ଜଣ ଶିକ୍ଷକ ଆସିବାରୁ ୪ ଜଣ ଶିକ୍ଷକ ଶିକ୍ଷାଦାନ କରୁଥିଲେ ।
ପରେ ଦୁଇଜଣ ଶିକ୍ଷକ ପଦୋନ୍ନତି ପାଇ ଅନ୍ୟ ସ୍କୁଲକୁ ବଦଳି ହୋଇଗଲେ । ଆଉ ଜଣେ ଶିକ୍ଷକଙ୍କୁ ମଧ୍ୟ ଫେରାଇ ନିଆଗଲା l ସ୍କୁଲ ପ୍ରଧାନ ଶିକ୍ଷକ ଫେବ୍ରୁଆରୀ ମାସରେ ଅବସର ଗ୍ରହଣ କରିଥିଲେ l ଫଳରେ ସ୍କୁଲଟି ଶିକ୍ଷକ ଶୂନ୍ୟ ହୋଇ ତାଲା ଝୁଲିଲା l କିଛି ଦିନ ତଳେ ନିକଟସ୍ଥ ସ୍କୁଲରୁ ଜଣେ ଶିକ୍ଷକଙ୍କୁ କାମଚଳା ଭାବେ ଏଠାରେ ନିଯୁକ୍ତି ଦିଆଯାଇଛି । ଶିକ୍ଷକ ନିଯୁକ୍ତ ହେଉନଥିବାରୁ ଚାନ୍ଦପୁର ପ୍ରାଥମିକ ସ୍କୁଲ୍ରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାରକୁ ଠେଲି ହୋଇଯାଇଥିବା ମନେ ହୋଇଛି । କୋରୋନା ସଂକ୍ରମଣ ଯୋଗୁଁ ବିଗତ ଦୁଇ ବର୍ଷ ହେଲା ଛାତ୍ରଛାତ୍ରୀ ଠିକ୍ ଭାବରେ ପାଠ ପଢ଼ି ପାରିନାହାନ୍ତି । ଏବେ ଶିକ୍ଷକଙ୍କ ସମସ୍ୟା ଯୋଗୁଁ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ମିଳିପାରୁନାହିଁ । ଆଗାମୀ ଦିନରେ ଏହି ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନ କରିବାକୁ ଧମକ ଦେଇଛନ୍ତି ଅଭିଭାବକ ।
ଏହାକୁ ନେଇ କୋରେଇ ମଣ୍ଡଳ ଶିକ୍ଷା ଅଧିକାରୀଙ୍କୁ ପ୍ରଶ୍ନ କରିବାକୁ ସେ କହିଛନ୍ତି ଯେ, ଆମେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଛୁ । ଖୁବଶୀଘ୍ର ସମସ୍ୟାର ସମାଧାନ ହେବ । ପ୍ରଶ୍ନ ଉଠୁଛି କେବେ ଏଠାରେ ଶିକ୍ଷକ ନିଯୁକ୍ତ ହେବେ । ପରୀକ୍ଷା ପୂର୍ବରୁ ପ୍ରଶାସନ ଏଠାରେ ଶିକ୍ଷକ ନିଯୁକ୍ତ କରିବ ନା ପରୀକ୍ଷା ପରେ ? ଏହି ତମାମ ପ୍ରଶ୍ନର ଉତ୍ତର ଖୋଜୁଛନ୍ତି ଚାନ୍ଦପୁର ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଅଭିଭାବକ ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ