ଯାଜପୁର: ଆଜି(ଗୁରୁବାର) ହେଉଛି ତ୍ରିବେଣୀ ଅମାବାସ୍ୟା ମା' ବିରଜାଙ୍କ ଜନ୍ମ ଦିବସ । ମାଘ ମାସର ଏହି ଅମାବାସ୍ୟା ତିଥିରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କ ପବିତ୍ର ସ୍ବର୍ଣ୍ଣକ୍ଷେତ୍ର ଦିବସକୁ ପାଳନ କରାଯାଇଥାଏ ।
ମା' ବିରଜାଙ୍କ ଜନ୍ମ ଦିନରେ ରୀତିନୀତି ଅନୁସାରେ କାର୍ଯ୍ୟସୂଚୀ ଚୂଡାନ୍ତ ହୋଇଛି । ଏହି ଅବସରରେ ଗୁରୁବାର ବ୍ରହ୍ମ ମୂହୂର୍ତ୍ତରୁ ନିତ୍ୟସ୍ନାନ, ସ୍ନାନ ପରେ ବେଶ ଲାଗି ଓ ନୈବେଦ୍ୟ ସମର୍ପଣ କରାଯାଇଛି । ସକାଳ ମହାସ୍ନାନ, ପରେ ମା'ଙ୍କ ଚନ୍ଦନଲାଗି, ସାବିତ୍ରୀ ବେଶ, ଅଳଙ୍କାର ଲାଗି ବେଶ, ସିଂହାସନରେ ଷୋଡଶ ଉପଚାର ଓ ସ୍ଵର୍ଣ୍ଣକ୍ଷେତ୍ର ପୂଜା କରାଯିବ । ଏହାସହିତ ଯଜ୍ଞବେଦୀରେ ଯଜ୍ଞ ଅନୁଷ୍ଠିତ ହେବ ବୋଲି ଜଣାପଡିଛି ।
ପ୍ରତିବର୍ଷ ମା'ଙ୍କ ଏହି ପବିତ୍ର ଓ ଦୁର୍ଲଭ ସାବିତ୍ରୀ ବେଶ ଦର୍ଶନ ପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ଗୁରୁବାର ଏହି ମା'ଙ୍କ ଜନ୍ମ ଦିନରେ ଯାଜପୁରର କୋଣ ଅନୁକୋଣରୁ ହଜାର ହଜାର ଶ୍ରଦ୍ଧାଳୁ ଏହି ସାବିତ୍ରୀ ବେଶ ଦର୍ଶନ ପାଇଁ ଆସିଥାନ୍ତି । ତେବେ ଭିଡକୁ ଦୃଷ୍ଟିରେ ରଖି ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ସମସ୍ତ ବ୍ୟବସ୍ଥା କରାଯାଇଛି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ