ଯାଜପୁର: ଅସହ୍ୟ ଯନ୍ତ୍ରଣାରେ ଛଟପଟ ଶୈଶବ । ଦୁନିଆ କ’ଣ ଜାଣିବା ଆଗରୁ ପିଠିରେ ଯନ୍ତ୍ରଣାର ବୋଝ । ଖେଳକୁଦ ବୟସରେ ରୋଗ ଶଯ୍ୟାରେ ପଡ଼ି ବଞ୍ଚିବାର ରାହା ଖୋଜୁଛି କୁନି ଝିଅ ଶାନ୍ତି । 7 ବର୍ଷର ଶାନ୍ତି ପିଠିରେ ଅସ୍ବାଭାବିକ ଭାବେ ବଢିଚାଲିଛି ମାଂସ ପିଣ୍ଡୁଳା । ଆଉ ଏହି ବୋନ ଟ୍ୟୁମରର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଜନ୍ମରୁ ବାପାଙ୍କୁ ହରାଇଥିବା ଶାନ୍ତିର ଚିକିତ୍ସା କରିବା ବିଧବା ମା’ ଚାନ୍ଦୁ ପକ୍ଷେ ଅସମ୍ଭବ ହୋଇପଡିଛି । ଚିକିତ୍ସା ତ ଦୂରର କଥା ମୁଣ୍ଡ ଗୁଞ୍ଜିବାକୁ ଖଣ୍ଡେ ଘର ବି ନାହିଁ । ଏ ହେଉଛି ଯାଜପୁର ବ୍ୟାସନଗର ପୌରାଞ୍ଚଳ ଅନ୍ତର୍ଗତ ମୁଣ୍ଡମାଳ ଆଦିବାସୀ ସାହିର ଘଟଣା ।
ହଠାତ୍ ଦିନେ ଖେଳୁଖେଳୁ ପିଣ୍ଡାରୁ ତଳକୁ ଖସି ପଡ଼ିଥିଲା ଶାନ୍ତି । ପିଠି ହାଡ ଭାଙ୍ଗି ଯିବାରୁ ସେବେଠୁ ବୋନ୍ ଟ୍ୟୁମରରେ ପିଡିତ ହୋଇ ନାନା ଯନ୍ତ୍ରଣା ଭୋଗୁଛି । ଏପଟେ ଯକ୍ଷ୍ମାରୋଗରେ ପିଡିତ ହୋଇ ଆରପାରିକୁ ଚାଲିଗଲେ ସ୍ବାମୀ ରାଉତ ଗାଗରାଇ । ଆଉ ସ୍ବାମୀଙ୍କୁ ହରାଇବା ପରେ ବେସାହାରା ହୋଇପଡିଛନ୍ତି ବିଧବା ମହିଳା ଚାନ୍ଦୁ । ରୋଜଗାର ହରାଇଛି ଏହି ପରିବାର । ଏପଟେ ଭଲ ଘର ଖଣ୍ଡେ ନଥିବାରୁ ଏକ ଭଙ୍ଗା କୁଡିଆରେ ରହୁଛନ୍ତି ଏହି ଅସହାୟ ପରିବାର । ଶିଶୁର ଚିକିତ୍ସା ପାଇଁ ମା’ ପାଖରେ ନା ଅଛି ଅର୍ଥ, ନା ସାମର୍ଥ୍ୟ । ଓଳିଏ ଖାଇଲେ ଓଳିଏ ଉପାସ । ସ୍ବାମୀ ଚାଲିଯିବା ପରେ ବିଧବା ମହିଳା ଚାନ୍ଦୁଙ୍କ ପାଇଁ ପରିବାର ଚଳାଇବା ମୁସ୍କିଲ ହୋଇପଡିଛି । ଏଭଳି ସ୍ଥିତିରେ ଝିଅର ଚିକିତ୍ସା ବା କରିବେ କିପରି ?
ଦିନକୁ ଦିନ କୁନି ଝିଅଟିର ପିଠିରେ ମାଂସ ବଢିବାରେ ଲାଗିଛି । ଆଉ ବଢିଚାଲିଛି ଯନ୍ତ୍ରଣା। ଯଦିଓ ଶିଶୁକୁ ଯାଜପୁର ରୋଡ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ ମହିଳା । ହେଲେ ଡାକ୍ତର କଟକ ବଡଡାକ୍ତରଖାନାରେ ଚିକିତ୍ସା କରାଇବାକୁ ପରାମର୍ଶ ଦେଇଛନ୍ତି । ତେବେ ଜିଲ୍ଲା ପ୍ରଶାସନ କିମ୍ବା ସରକାରଙ୍କ ସହାୟତା ମିଳିଲେ ଝିଅଟିର ଉପଯୁକ୍ତ ଚିକିତ୍ସା ହୋଇପାରିବ । ଏଥିପାଇଁ ଆବଶ୍ୟକ ସହଯୋଗ ଯୋଗାଇ ଦେବାକୁ ପ୍ରଶାସନ ନିକଟରେ ଆପତ୍ତି ଜଣାଇଛନ୍ତି ବସ୍ତିବାସିନ୍ଦା ଓ ସ୍ବେଚ୍ଛାସେବୀ ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ