ଯାଜପୁର: ଭିଏଲଡବ୍ଲ୍ୟୁ ସ୍ମିତାରାଣୀ ବିଶ୍ବାଳ ମୃତ୍ୟୁ ମାମଲାରେ ପୋଲିସ ଅଭିଯୁକ୍ତଙ୍କୁ ବାନ୍ଧିଛି । ଏହି ସମ୍ବେଦନଶୀଳ ଘଟଣାରେ ଧର୍ମଶାଳା ହରିଦାସପୁର ପଞ୍ଚାୟତର ସରପଞ୍ଚଙ୍କ ସ୍ବାମୀ ରୂପେଶ ଭଦ୍ରକୁ ଗିରଫ କରିଛି ପୋଲିସ ।
ଘଟଣା ପରଠାରୁ ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ପକ୍ଷରୁ ରାଜ୍ୟ ସରକାରଙ୍କୁ ଘେରିଥିଲେ । ଫଳରେ ଚାପରେ ଆସି ପୋଲିସ ଏହି ଘଟଣାରେ ଅଟକ ଥିବା ରୂପେଶ ଭଦ୍ରକୁ ଗିରଫ କରିଛି । ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ଯାଜପୁର ଏସପି ଘଟଣା ସଂପର୍କରେ କହିଛନ୍ତି କି, ପ୍ରାଥମିକ ତଦନ୍ତ ଆଧାରରେ ରୂପେଶକୁ ଗିରଫ କରାଯାଇଛି । ତେବେ ତଦନ୍ତ ଜାରି ରହିଛି । ସ୍ମିତାରାଣୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି । ରିପୋର୍ଟରେ ସ୍ମିତାରାଣୀଙ୍କ ଶରୀରରେ କୌଣସି କ୍ଷତ ଚିହ୍ନ ନାହିଁ ତେଣୁ ସେ ଆତ୍ମହତ୍ୟା କରିଛନ୍ତି ନା ହତ୍ୟା କରାଯାଇଛି ସେନେଇ ମଧ୍ୟ ତଦନ୍ତ ଜାରି ରହିଛି ବୋଲି ଏସପି କହିଛନ୍ତି । ଏହାସହ ମୃତ ସ୍ମିତାରାଣୀ ଓ ରୂପେଶଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିଲା ବୋଲି କହିଛନ୍ତି ।
ସେପଟେ ଏସପିଙ୍କ ବକ୍ତବ୍ୟକୁ ମୃତ ସ୍ମିତାରାଣୀଙ୍କ ବାପା ସଦାନନ୍ଦ ଗ୍ରହଣ କରିନାହାଁନ୍ତି । ସଦାନନ୍ଦ କହିଛନ୍ତି ଦିନ ଦ୍ବିପ୍ରହରରେ ଅଭିଯୁକ୍ତ ସହ ଅନ୍ୟମାନଙ୍କ ଉପସ୍ଥିତିରେ ସ୍ମିତାରାଣୀ କେମିତି ଆତ୍ମହତ୍ୟା କଲା ? ଅଭିଯୁକ୍ତଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ ମଧ୍ୟ କାହିଁକି ଅଟକାଇଲେ ନାହିଁ ? ଜଣଙ୍କୁ ଗିରଫ କରି ଅନ୍ୟମାନଙ୍କୁ କାହିଁକି ପୋଲିସ ଛାଡିଦେଲା ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । ଏହାସହ ସେ କହିଛନ୍ତି ତାଙ୍କ ଝିଅ ମାନସିକ ଭାବେ ବହୁତ ଦୃଢ । କେବେ ସେ ଆତ୍ମହତ୍ୟା କରିନଥିବ । ଏହା ଏକ ସୁ-ଚିନ୍ତିତ ହତ୍ୟା ବୋଲି କହିବା ସହ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ।
ଅନ୍ୟପଟେ ଏହି ଘଟଣାକୁ ଯାଜପୁର ବିଜେପି ଗମ୍ଭୀରତାର ସହ ନେଇଛି । ଦଳର ଫ୍ୟାଟ ଫାଇଣ୍ଡିଙ୍ଗ ଟିମ ମୃତ ସ୍ମିତାରାଣୀଙ୍କ ପରିବାରକୁ ଭେଟିବା ସହ ସରକାରଙ୍କୁ ଘେରିଛନ୍ତି । ଆଉ ଶନିବାର ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ପୋଲିସର କାର୍ଯ୍ୟାନୁଷ୍ଠାନରେ ଅସନ୍ତୁଷ୍ଟ ହୋଇ ଯାଜପୁର ଜିଲ୍ଲା ବିଜେପି ଆସନ୍ତା 21 ସୋମବାର ଦିନ ଜିଲ୍ଲା ବନ୍ଦ ଡାକରା ଦେଇଛି । ଦଳ ମୃତ ସ୍ମିତାରାଣୀଙ୍କ ପରିବାରକୁ ନ୍ୟାୟ ଦେବା ସହ ଘଟଣାର ସିବିଆଇ ତଦନ୍ତ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରି ଏହି ବନ୍ଦ ଡାକରା ଦେଇଛି । ସକାଳ 6ଟାରୁ ସଂଧ୍ୟା 6ଟା ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ଦିଆଯାଇଥିବା ବେଳେ ଅତ୍ୟାବଶ୍ୟକ ସେବାକୁ ବନ୍ଦରୁ ବାଦ ଦିଆଯିବ ବୋଲି ଜିଲ୍ଲା ବିଜେପି ସଭାପତି ଗୌତମ ରାୟ କହିଛନ୍ତି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ