ଯାଜପୁର: ଯାଜପୁର ଜିଲ୍ଲାରେ ବନ୍ୟା ବିତ୍ପାତ । ବୈତରଣୀ, ବ୍ରାହ୍ମଣୀ, ଖରସ୍ରୋତା, କାଣୀ, କେଲୁଅ ଆଦି ନଦୀରେ ଆସିଛି ବନ୍ୟା । ବୈତରଣୀ ପରେ ବ୍ରାହ୍ମଣୀ ଓ ତାର ଶାଖା ନଦୀରେ 6 ଟି ଘାଇ ସୃଷ୍ଟି ହୋଇଛି । ବରୀ ବ୍ଲକ ଅରୁଆଳ, ମାଟିଆପଡା ଓ କଳାଖଣ୍ଡରେ ଘାଇ ସୃଷ୍ଟି ହୋଇଥିବା ବେଳେ ରସୁଲପୁର ବ୍ଲକର ଲଙ୍କାବାଲିସାହି ଖଣ୍ଡସା ଓ ସାହାପଡାରେ ମଧ୍ୟ ଘାଇ ହୋଇଛି ।
ବ୍ୟାପକ ଅଞ୍ଚଳ ଜଳମଗ୍ନ ହେବାସହ ଅନେକ ଗାଁ ପାଣି ଘେରରେ ରହିଛି । ଚଳିତ ବନ୍ୟାରେ ଦଶରଥପୁର, ଯାଜପୁର, ବିଂଝାରପୁର, କୋରେଇ, ବରୀ ରସୁଲପୁର, ଧର୍ମଶାଳା, ବଡଚଣା ଏବଂ ଦାନଗଦୀ ଆଦି 9 ଟି ବ୍ଲକର 50 ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ବୈତରଣୀରେ ଏବେ ବି ବନ୍ୟାଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ବେଳେ ବ୍ରାହ୍ମଣୀ ଓ ଖରସ୍ରୋତା ନଦୀରେ ଏହା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ସେପଟେ ବନ୍ୟା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ଉଦ୍ୟମ ଜାରି ରହିଛି ।
ବୈତରଣୀ ନଦୀର ଆଖୁଆପଦା ଠାରେ 20 ମିଟର ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ରେଙ୍ଗାଲି ଗେଟରେ ପାଣି ଛଡାଯିବା ଫଳରେ ବ୍ରାହ୍ମଣୀ ନଦୀର ଜେନାପୁର ଠାରେ 70 ଫୁଟ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ଗମ୍ଭୀର ହେବାରେ ଲାଗିଛି । ଜିଲ୍ଲାରେ ଏବେ ଶତାଧିକ ଗାଁ ଜଳବନ୍ଦୀ ହୋଇ ରହିଛନ୍ତି । ତଳିଆ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଢିପ ସ୍ଥାନ ତଥା ବିଭିନ୍ନ ସ୍କୁଲ ଘରେ ବିପନ୍ନ ପରିବାର ମାନେ ଆଶ୍ରୟ ନେଇଛନ୍ତି । ସେପଟେ ଚଳିତ ବନ୍ୟାରେ ଯାଜପୁର ଜିଲ୍ଲାର ୫୦ ହଜାରରୁ ଉର୍ଦ୍ଧ୍ବ ଲୋକ ଜଳବନ୍ଦୀ ହୋଇରହିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।
ସେହିପରି ଏସବୁ ଅଞ୍ଚଳରେ 50ହଜାର ହେକ୍ଟରରୁ ଉର୍ଦ୍ଧ୍ବ ଚାଷଜମି ଜଳମଗ୍ନ ହୋଇଛି । ବ୍ୟାପକ ଅଞ୍ଚଳରେ ଧାନ ଓ ପନିପରିବା ଫସଲ ନଷ୍ଟ ହୋଇଛି । ତେବେ ବନ୍ୟା ପରିସ୍ଥିତିର ମୁକାବିଲା ଲାଗି ପ୍ରଶାସନ ସମସ୍ତ ପ୍ରକାର ଉଦ୍ୟମ ଜାରି ରହିଥିବା ଜିଲ୍ଲାପାଳ କହିଛନ୍ତି । ଓଡ୍ରାଫ ଓ ଅଗ୍ନୀଶମ ବିଭାଗର କର୍ମଚାରୀମାନଙ୍କ ଦ୍ବାରା ବିଭିନ୍ନ ସ୍ଥାନରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସେହିପରି ପ୍ରଶାସନ ପକ୍ଷରୁ ବିପନ୍ନ ମାନଙ୍କୁ ସୁରକ୍ଷିତ ସ୍ଥାନରେ ରଖିବା ଏବଂ ସେମାନଙ୍କୁ ରନ୍ଧାଖାଦ୍ୟ ଓ ଶୁଖିଲା ଖାଦ୍ୟ ଯୋଗାଇ ଦେବାର ବନ୍ଦବୋସ୍ତ କରାଯାଉଛି ।
ବନ୍ୟାଞ୍ଚଳରେ ଘାଇ ମରାମତି କାମ ଆରମ୍ଭ ହୋଇଥିବା ବେଳେ ଉଦ୍ଧାର କାର୍ଯ୍ୟ ମଧ୍ୟ ବଳବତ୍ତର ରହିଛି । ବନ୍ୟା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ଉଦ୍ୟମ କରାଯାଉଛି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ