ଯାଜପୁର: ବରଡା ଛକ ନିକଟରେ ଘଟିଥିବା ସଡକ ଦୁର୍ଘଟଣା ନେଲା ଭିନ୍ନ ମୋଡ । ମାଆ-ଝିଅଙ୍କ ମୃତ୍ୟୁ ଆକସ୍ମିକ ସଡ଼କ ଦୁର୍ଘଟଣା ନୁହଁ ବରଂ ଜାଣିଶୁଣି ଗାଡି ମଡାଇ ହତ୍ୟା କରାଯାଇଥିବା କହିଛି ପୋଲିସ । ଏନେଇ ମୃତକଙ୍କ ପରିବାର ପକ୍ଷରୁ କୌଣସି ଅଭିଯୋଗ ହୋଇ ନ ଥିବାବେଳେ ପୋଲିସ ନିଜ ଆଡୁ ଏକ ହତ୍ୟା ମାମଲା ରୁଜୁ କରି ଆରମ୍ଭ କରିଛି ତଦନ୍ତ ।
ସୁଚନା ଅନୁଯାୟୀ, ଗତକାଲି(ବୁଧବାର) ସନ୍ଧ୍ୟାରେ ଯାଜପୁର ଜିଲ୍ଲା ଜେନାପୁର ଥାନା ଅନ୍ତର୍ଗତ ବରଡା ଛକ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ମାଆ-ଝିଅଙ୍କ ମୃତ୍ୟୁ ଘଟିଥିବା ନେଇ ଚର୍ଚ୍ଚା ହୋଇଥିଲା । ଗୋଟିଏ ସ୍କୁଟରରେ ସୁକିନ୍ଦା ଅଞ୍ଚଳର ଅଶୋକ ଚକ୍ରବର୍ତ୍ତୀଙ୍କ ସ୍ତ୍ରୀ ଶ୍ରୀତିକା ଚକ୍ରବର୍ତ୍ତୀ(୪୭) ଏବଂ ଝିଅ ଲିପିକା ଚକ୍ରବର୍ତ୍ତୀ(୨୪) କେନ୍ଦ୍ରାପଡ଼ା ରାମନଗର ଗ୍ରାମରୁ ସୁଦ୍ଧି କ୍ରିୟା ସାରି ଫେରୁଥିବା ବେଳେ ଏକ ଟ୍ରକ ସେମାନଙ୍କୁ ସାଇଡ ମାରିଥିଲା । ଯୁବତୀ ଜଣକ ଏହାର ପ୍ରତିବାଦ ସ୍ବରୂପ 53 ନମ୍ବର ଜାତୀୟ ରାଜପଥର ଆରୁହା ଛକ ନିକଟରେ ସ୍କୁଟରକୁ ଆଡ଼ ପକାଇ ଟ୍ରକକୁ ଅଟକାଇଥିଲେ । ଏହାପରେ ଉଭୟଙ୍କ ଭିତରେ ବଚସା ହୋଇଥିଲା। ପାଟି ତୁଣ୍ଡ ଶୁଣି ସ୍ଥାନୀୟ ଲୋକ ଘଟଣା ସ୍ଥଳରେ ପହଞ୍ଚି ଆପୋଷ ସମାଧାନ କରି ବିଦା କରିଥଲେ ।
ବଚସା ସମୟରେ ଯୁବତୀ ଜଣକ ଡ୍ରାଇଭରକୁ ମାଡ଼ ମାରିଥିଲେ । ଏହାପରେ ଡ୍ରାଇଭର ଜଣକ ଯୁବତୀ ଓ ତାଙ୍କ ମାଆଙ୍କୁ ଦେଖିଦେବି ବୋଲି ଧମକ ଦେଇ ଚାଲି ଯିବାର ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ସେଠାରୁ ଯିବାର କିଛି ସମୟ ପରେ ବରଡା ଛକ ନିକଟରେ ସମ୍ପୃକ୍ତ ଯୁବକଙ୍କ ଟ୍ରକ୍ ଧକ୍କାରେ ଯୁବତୀ ଓ ତାଙ୍କ ମାଆଙ୍କର ଶୋଚନୀୟ ମୃତ୍ୟୁ ଘଟିଥିଲା । ପ୍ରଥମରୁ ଏହାକୁ ଦୁର୍ଘଟଣା କୁହାଯାଉ ଥିବାବେଳେ ପ୍ରତ୍ୟେକ୍ଷଦର୍ଶୀଙ୍କ ବୟାନ ପରେ ଦୁର୍ଘଟଣା ଭିନ୍ନ ମୋଡ ନେଇଛି । ଅନ୍ୟପଟେ ଜେନାପୁର ପୋଲିସ ଏକ ହତ୍ୟା ମାମଲା ରୁଜୁକରି ତୋଟାକଣ ଗାଁରୁ ଟ୍ରକ ଡ୍ରାଇଭର ଅମର ସ୍ଵାଇଁକୁ ଗିରଫ କରିଥିବା ଯାଜପୁର ଏସପି ରାହୁଲ ପି.ଆର ସୂଚନା ଦେଇଛନ୍ତି । ସେପଟେ ବ୍ୟବଚ୍ଛେଦ ପରେ ଆଜି(ଗୁରୁବାର) ପରିବାରବର୍ଗଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି ।
ଇଟିଭି ଭାରତ, ଯାଜପୁର