ଯାଜପୁର: ଜାତୀୟ ରାଜପଥରେ ହେଉଥିବା ଅପରାଧିକ କାର୍ଯ୍ୟକଳାପ ରୋକିବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ହାଇୱେ ପାଟ୍ରୋଲିଂ ସେବା । ଆଜି ଭୁବନେଶ୍ବର ଠାରେ ଏହି ସେବାକୁ ଭିଡିଓ କନଫରେନ୍ସସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିବାବେଳେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏହି ସେବା କାର୍ଯ୍ୟକାରୀ ହୋଇଛି । ଏହି ଅବସରରେ ଯାଜପୁର ଜିଲ୍ଲା ପୋଲିସ ପକ୍ଷରୁ ପାଣିକୋଇଲିସ୍ଥିତ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଏହି ହାଇୱେ ପାଟ୍ରୋଲିଂ ସେବାର ଶୁଭାରମ୍ଭ କରାଯାଇଛି ।
କୋରାଇ ବିଧାୟକ ଅଶୋକ ବଳ, ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ଓ ଯାଜପୁର ଏସ.ପି ରାହୁଲ ପି ଆର ପ୍ରମୁଖ ଉପସ୍ଥିତ ରହି ସବୁଜ ପତାକା ଦେଖାଇ ଏହାକୁ ଶୁଭାରମ୍ଭ କରିଥିଲେ। ଆଜିଠାରୁ ପ୍ରଥମ ପର୍ଯ୍ୟାୟରେ ୨ଟି ଗାଡିକୁ ହାଇୱେ ପେଟ୍ରୋଲିଂ ସେବାରେ ନିୟୋଜିତ କରାଯାଇଥିବା ବେଳେ ଆଗକୁ ଆହୁରି ୩/୪ ଟି ଗାଡି ଏଥିରେ ନିୟୋଜିତ କରାଯିବାର ଲକ୍ଷ ରଖାଯାଇଛି ।
ଜିଲ୍ଲା ମଧ୍ୟରେ ଯାଇଥିବା ପ୍ରମୁଖ ୧୬ ନଂ ଓ ୨୦ ନଂ ଜାତୀୟ ରାଜପଥରେ ଏହି ଗାଡି ଗୁଡ଼ିକ ପାଟ୍ରୋଲିଂ କରିବ। ଏହାଦ୍ବାରା ବିଭିନ୍ନ ସମୟରେ ଜାତୀୟ ରାଜପଥରେ ଘଟୁଥିବା ଅପରାଧିକ କାର୍ଯ୍ୟକଳାପ ଉପରେ ନଜର ରଖାଯିବା ସହ ଏହାକୁ ରୋକାଯାଇପାରିବ ବୋଲି ଏସ.ପି କହିଛନ୍ତି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ