ଯାଜପୁର: ଜିଲ୍ଲାର ସୁକିନ୍ଦା ଠାରେ କାର୍ଯ୍ୟକାରୀ ହୋଇଛି ଗ୍ରାମ୍ୟ ନ୍ୟାୟାଳୟ । ଆଜି ଏହି ଗ୍ରାମ୍ୟ ନ୍ୟାୟାଳୟକୁ ଉଦଘାଟନ କରିଛନ୍ତି ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡଃ ଏସ୍.ମୁରଲୀଧର । ସୁକିନ୍ଦା ଅଞ୍ଚଳରେ ପୂର୍ବରୁ କୌଣସି କୋର୍ଟ ନଥିଲା, ଫଳରେ କୌଣସୀ ମାମଲା ନେଇ ଏହି ଅଞ୍ଚଳର ଲୋକ ମାନଙ୍କୁ ୫୦ କି.ମି ଦୂର ଯାଜପୁର ଟାଉନ ଓ ଯାଜପୁର ରୋଡ଼ କୋର୍ଟକୁ ଯିବାକୁ ପଡୁଥିଲା । ତେଣୁ, ସୁକିନ୍ଦା ଅଞ୍ଚଳରେ ଏକ କୋର୍ଟ ପ୍ରତିଷ୍ଠା ନେଇ ଦୀର୍ଘଦିନ ଧରି ଦାବି ହୋଇଆସୁଥିଲା । ତେବେ ଆଜି ସୁକିନ୍ଦା ବାସୀଙ୍କର ଏହି ଦାବି ପୂରଣ ହୋଇଛି ।
ପ୍ରଥମ ପର୍ଯ୍ୟାୟରେ ଏଠାରେ କ୍ରିମିନାଲ ଓ ସିଭିଲ କେସ ଟ୍ରାଏଲ ହେବ ବୋଲି ଜଣାପଡିଛି । ଏହି ଗ୍ରାମ୍ୟ ନ୍ୟାୟାଳୟ ପ୍ରତିଷ୍ଠା ହେବା ଦ୍ୱାରା ସ୍ଥାନୀୟ ଅଞ୍ଚଳର ଲୋକେ ବିଶେଷଭାବେ ଉପକୃତ ହେବେ । ଏହି ଅବସରରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡଃ ଏସ୍. ମୁରଲୀଧର ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ହାଇକୋର୍ଟର ବିଚାରପତି ବିଶ୍ବନାଥ ରଥ, ହାଇକୋର୍ଟର ରେଜିଷ୍ଟ୍ରାର ରାଜେନ୍ଦ୍ର କୁମାର ତୋସ ଏବଂ ଯାଜପୁର ଜିଲ୍ଲା ଦୌରା ଜଜ୍ ଶ୍ରୀକାନ୍ତ ମିଶ୍ର ଓ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ପ୍ରମୁଖ ଯୋଗ ଦେଇଥିଲେ । ସୁକିନ୍ଦା ବାର ଆସୋସିଏସନ ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ବହୁ ବୁଦ୍ଧିଜୀବୀ ଓ ଲୋକ ପ୍ରତିନିଧି ସାମିଲ ହୋଇଥିଲେ । ତେବେ ମୁଖ୍ୟ ବିଚାରପତିଙ୍କ ଗସ୍ତ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ