ଯାଜପୁର: ଯାଜପୁର ବରାହ ମନ୍ଦିର ନିକଟ ବୈତରଣୀ ନଦୀରୁ ୫ଟି ବିରଳ ପ୍ରାଚୀନ ମୂର୍ତ୍ତି ଉଦ୍ଧାର ହୋଇଛି । ଗାଧୋଇବା ସମୟରେ ଲୋକଙ୍କ ଗୋଡ଼ରେ ମୂର୍ତ୍ତି ଗୁଡିକ ବାଜିଥିଲା । ପରେ ସେସବୁକୁ ପାଣିରୁ ଉଦ୍ଧାର କରାଯାଇଛି । ମନ୍ଦିର ପୂଜକ ଭୋଳାନାଥ ପଣ୍ଡା ବୈତରଣୀ ନଦୀକୁ ଗାଧୋଇ ଯାଇଥିବାବେଳେ ଏହି ପ୍ରାଚୀନ ମୂର୍ତ୍ତି ତାଙ୍କ ଗୋଡ଼ରେ ବାଜିଥିଲା ।
ଉଦ୍ଧାର ହୋଇଥିବା ମୂର୍ତ୍ତି ଗୁଡିକ ହେଲା, ନୃସିଂହ, ଶିବ, ନାରାୟଣୀ, କୃଷ୍ଣ ଏବଂ କାଳିଆ ଦଳନ । ମୂର୍ତ୍ତି ଗୁଡିକୁ ବରାହ ମନ୍ଦିର ପରିସରରେ ରଖାଯାଇଛି । ଗତ ୨/୩ ମାସ ତଳେ ବରାହ ଗଣ୍ଡ ଓ ବୈତରଣୀ ନଦୀର ଦଶାଶ୍ୱମେଧ ଘାଟରୁ କୃଷ୍ଣ ମୂର୍ତ୍ତି, ଚାମୁଣ୍ଡା ମୃର୍ତ୍ତି, ଭୈରବୀ ମୂର୍ତ୍ତି, ସୂର୍ଯ୍ୟନାରାୟଣ ମୂର୍ତ୍ତି, ଶିବ ମୂର୍ତ୍ତି ଭଳି ବିରଳ ମୂର୍ତ୍ତି ଉଦ୍ଧାର କରାଯାଇଥିଲା । ପ୍ରତ୍ନତତ୍ୱ ବିଭାଗ ଏହାର ଅଧିକ ଖନନ କରିବା ସହିତ ମୂର୍ତ୍ତି ଗୁଡିକର ରକ୍ଷଣାବେକ୍ଷଣ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ