ଯାଜପୁର: ଜିଲ୍ଲାର ଯାଜପୁର ରୋଡ ଥାନା ପହଙ୍ଗା ଗ୍ରାମରେ ଦୁର୍ଗା ମୂର୍ତ୍ତୀ ବିସର୍ଜନ ସମୟରେ ଅଘଟଣ । ଗାଁ ନିକଟରେ ଥିବା ପୋଖରୀରେ ମୂର୍ତ୍ତୀ ବିସର୍ଜନ ସମୟରେ ପାଣିରେ ବୁଡି ଯୁବକର ମୃତ୍ୟୁ । ଯୁବକଙ୍କ ନାମ ଦେବାଶିଷ ଜେନା । ଦେବାଶିଷଙ୍କ ଘର ଭଦ୍ରକ ଜିଲ୍ଲା ଭଣ୍ଡାରି ପୋଖରୀ ଥାନା ରାହାଣିଆ ଗ୍ରାମରେ ହୋଇଥିବା ବେଳେ ସେ ପିଲାଦିନୁ ପହଙ୍ଗା ସ୍ଥିତ ତାଙ୍କ ମାମୁଁ ଘରେ ରହି ପାଠ ପଢୁଥିଲେ ।
ତେବେ ସେ ବୁଧବାର ଗ୍ରାମର ଦୁର୍ଗା ମୂର୍ତ୍ତୀ ବିସର୍ଜନ କରିବାକୁ ଯାଇଥିବାବେଳେ ପୋଖରୀରେ ଅଧିକ ପାଣି ଥିବାରୁ ବୁଡି ଯାଇଥିଲେ । ଦେବାଶିଷ ପାଣିରେ ବୁଡିଯିବା ପରେ ଅଗ୍ନୀଶମ କର୍ମଚାରୀଙ୍କୁ ଖବର ଦିଆଯାଇଥିଲା । ପରେ ଅଗ୍ନୀଶମ ବାହିନୀ ଦୀର୍ଘ ଦୁଇ ଘଣ୍ଟା ଅକ୍ଲାନ୍ତ ପରିଶ୍ରମ କରି ଦେବାଶିଷଙ୍କୁ ଉଦ୍ଧାର କରି ଯାଜପୁର ରୋଡ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ