ଯାଜପୁର: ବିଫଳ ପ୍ରେମିକର ଉନ୍ମତ୍ତ କାଣ୍ଡ । ପ୍ରେମିକାର ମା ଓ ଭାଇକୁ ଅତି ବୀଭତ୍ସ ଭାବେ ହତ୍ୟା କରି ଫେରାର ପ୍ରେମିକ । ଫନି ଗର୍ଜନରେ ସାରା ରାଜ୍ୟ ଥରୁଥିବାବେଳେ ଏହି ପିଶାଚ ରୂପୀ କାମନା ଲୋଭୀ ପ୍ରେମିକ ତା ସାଙ୍ଗଙ୍କ ସହ ଭିଆଇଛି ଏହି ହତ୍ୟାକାଣ୍ଡ । ଏହି ନାରକୀୟ କାଣ୍ଡ ଗତ 3 ତାରିଖରେ ଯାଜପୁର ଜିଲ୍ଲା ଧର୍ମଶାଳା ଦେଉଳି ପାହାଡ଼ ଉପରେ ଘଟାଇଥିଲା । ତେବେ ଘଟଣାକୁ ପ୍ରାୟ 26 ଦିନ ବିତିଯାଇଥିଲେ ସୁଦ୍ଧା ଏ ଯାଏଁ ଘଟଣା ପଛର ମାଷ୍ଟରମାଇଣ୍ଡକୁ ଧରିବାରେ ସକ୍ଷମ ହୋଇନି ପୋଲିସ ।
ମେ 3 ତାରିଖ । ଫନି ଭୟରେ ଘରୁ ପାଦ କାଢୁନଥିଲେ ରାଜ୍ୟବାସୀ । ଏପରି ସମୟରେ ପାଗଳ ପ୍ରେମିକ ବାବନ ବେହେରା ଓ ତାର କିଛି ସହଯୋଗୀ ନାବାଳିକା ଓ ତାଙ୍କ ମାଙ୍କୁ ଦେଉଳି ପାହାଡ ଉପରକୁ ଜୋରଜବଦସ୍ତ ଉଠାଇ ନେଇଥିଲା । ସେମାନଙ୍କ ସହ ଦୁଷ୍କର୍ମ କରିବା ସହ ମରଣାନ୍ତକ ଆକ୍ରମଣ କରିଥିଲେ । ଖବର ପାଇଁ ପୋଲିସ 4 ତାରିଖରେ ଘଟଣାସ୍ଥଳରେ ପହଞ୍ଚିଥିଲା । ସେଠାରେ ମା’ର ମୃତ୍ୟୁ ଘଟିଥିବାବେଳେ ନାବାଳିକାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କଟକ ବଡ଼ ଡାକ୍ତରଖାନାକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଥିଲା । ଘଟଣାସ୍ଥଳରୁ ପୋଲିସ ମୁଖ୍ୟ ଅଭିଯୁକ୍ତର ସହଯୋଗୀକୁ ଗିରଫ କରିଥିବାବେଳେ ଘଟଣା ପଛର ଖଳନାୟକ ଆଖିରେ ଧୂଳି ଦେଇ କେଉଁଆଡ଼େ ଫେରାର ହୋଇଯାଇଛି । ଏପଟେ ଏକା ଦିନରେ ବାଲେଶ୍ବରର ଏକ ନଦୀରୁ ଭାଇର ମୃତଦେହ ଉଦ୍ଧାର ହୋଇଥିଲା । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ହଟଚମଟ ମଚାଇଦେଇଛି ।
ପାରିପାର୍ଶ୍ବିକ ସ୍ଥିତି ଓ ମୃତକ ପରିବାର ଲୋକଙ୍କ ଅଭିଯୋଗକୁ ଭିତ୍ତି କରି ଧର୍ମଶାଳା ପୋଲିସ ଏକ ହତ୍ୟା ମାମଲା ରୁଜୁ କରିଛି । ଏଥିସହିତ ସାଇଣ୍ଟିଫିକ ଟିମ ସହାୟତାରେ ଘଟଣାର ତଦନ୍ତ ଜାରି ରଖିଛି ପୋଲିସ। ମାର ମୃତ୍ୟୁକୁ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ବାରି ହେଉଥିବାବେଳେ କିପରି ଏବଂ କେଉଁ ପରିସ୍ଥିତିରେ ଅନ୍ୟତ୍ର ବାଲେଶ୍ବରରେ ପୁଅର ମୃତ୍ୟୁ ଘଟଣା ପୋଲିସ ସନ୍ଦେହ ଘେରରେ ।
ଏ ନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଏହାର ଖୋଳତାଡ଼ ଚଳାଇଛି । ଅଭିଯୁକ୍ତମାନେ ଯୋଜନାବଦ୍ଧ ଭାବେ ପୃଥକ ପୃଥକ ସ୍ଥାନରେ ଉଭୟ ମା ଓ ପୁଅଙ୍କୁ ହତ୍ୟା କରିବା ସହ ଝିଅକୁ ଆକ୍ରମଣ କରିଥିବା ପରିବାର ଅଭିଯୋଗ କରିଛନ୍ତି । ତେବେ ଅଭିଯୁକ୍ତ ଏଯାଏଁ ଫେରାର ରହିଥିବାବେଳେ ଖୁବଶୀଘ୍ର ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଗିରଫ କରିବ ବୋଲି ସ୍ଥାନୀୟ ଥାନା ଅଧିକାରୀ କହିଛନ୍ତି ।
ମୃତ ମହିଳା ଜଣକ କାଏମା ଗୋଗଳ ଗ୍ରାମର କୃଷ୍ଣଚନ୍ଦ୍ର ସାମଲଙ୍କ ଦ୍ବିତୀୟ ସ୍ତ୍ରୀ ମିଟୁଆ ସାମଲ । କୃଷ୍ଣଚନ୍ଦ୍ର କିଛିବର୍ଷ ହେବ ଜାରକା ନିକଟ ଦେଉଳିଠାରେ ଘର କରି ରହିଆସୁଥିଲେ । ତେବେ ଯୁବତୀଙ୍କ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ଆସିବା ପରେ ତାଙ୍କୁ ଏକ ସ୍ବାଧାର ଗୃହରେ ରଖାଯାଇଛି । କୃଷ୍ଣଚନ୍ଦ୍ରଙ୍କ ପୁଅ ବୃତ୍ତିରେ ଜଣେ ଗାଡିଚାଳକ ହୋଇଥିବାବେଳେ ସେ ବାଲେଶ୍ଵର ଅଞ୍ଚଳରେ ରହି କାମ କରୁଥିଲେ ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ