ଯାଜପୁର: ବିଦ୍ୟୁତ୍ ଆଘାତରେ ଯୁବକ ମୃତ । ମନ୍ଦିରରୁ ମାଇକ ସେଟ୍ ଖୋଲୁଥିବା ସମୟରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ କୋରେଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ ଶାଳକଣା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ସୂଚନାଅନୁଯାୟୀ, ଅଜୟ କୁମାର ସ୍ବାଇଁଙ୍କ ସାନ ପୁଅ କାଳନ୍ଦୀ ସ୍ବାଇଁ (21) ଏକ ଟେଣ୍ଟ ହାଉସରେ କାମ କରନ୍ତି। ତେବେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଗାଁରେ ଥିବା ଶିବ ମନ୍ଦିରରେ ମାଇକ ସେଟ ଲଗାଇଥିଲେ। ଗତକାଲି ପୂଜା ଶେଷ ହେବା ପରେ ବିଳମ୍ବିତ ରାତିରେ ଯାଇ ଗାଁ ଶିବ ମନ୍ଦିରରୁ ମାଇକ ସେଟ ଖୋଲୁଥିବା ସମୟରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଛି। ଖବର ପାଇ କୋରେଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ