ଯାଜପୁର: ଭିକିପୁର ସଂରକ୍ଷିତ ଜଙ୍ଗଲରୁ ହରିଣ ଶିଙ୍ଗ ଏବଂ ହାତୀ କଳଦାନ୍ତ ଜବତ ମାମଲା । ଏଥିରେ ସମ୍ପୃକ୍ତି ଥିବା 2 ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି ପୋଲିସ । ଅନ୍ୟପଟେ ଫେରାର୍ ଥିବା 2 ଅଭିଯୁକ୍ତଙ୍କୁ ଖୋଜାଖୋଜି କରୁଛି ବନବିଭାଗ । ତେବେ ଖୁବଶୀଘ୍ର ସେମାନେ ବନବିଭାଗ ହାତରେ ଧରାପଡିବେ ବୋଲି ଯାଜପୁର ରୋଡ୍ ଫରେଷ୍ଟ ରେଞ୍ଜର ଦେବେନ୍ଦ୍ର ପଟ୍ଟନାୟକ ସୂଚନା ଦେଇଛନ୍ତି ।
କୋର୍ଟଚାଲାଣ ହୋଇଥିବା 2 ଅଭିଯୁକ୍ତ ଯାଜପୁର ରୋଡ ଥାନା ଦଳା ଗାଁର ଅଭୟ ସାହୁଙ୍କ ପୁଅ ଦିବ୍ୟଜ୍ୟୋତି ସାହୁ ଏବଂ ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳର ପୂର୍ଣ୍ଣଚନ୍ଦ୍ର ରାଜଙ୍କ ପୁଅ ସିଦ୍ଧାର୍ଥ ରାଜ ବୋଲି ଜଣାପଡିଛି । ସେମାନଙ୍କୁ ବନ ବିଭାଗ ମଙ୍ଗଳବାର ଗିରଫ କରିଥିବାବେଳେ ବୁଧବାର କୋର୍ଟଚାଲାଣ କରିଛି ।
ସୂଚନା ଅନୁଯାୟୀ, ଭିକିପୁର ସଂରକ୍ଷିତ ଜଙ୍ଗଲରୁ ଯାଜପୁର ରୋଡ୍ ବନବିଭାଗ ମଙ୍ଗଳବାର ଚଢାଉ କରି 5ଟି ହରିଣ ଶିଙ୍ଗ ଓ ଗୋଟିଏ ହାତୀ କଳଦାନ୍ତ ଜବତ କରିଥିଲା । ଚଢାଉବେଳେ 5ଟି ହରିଣ ଶିଙ୍ଗ, ଗୋଟିଏ ହାତୀ କଳଦାନ୍ତ ଓ ଗୋଟିଏ ଜୀବନ୍ତ ବହୁରୂପୀ ଏଣ୍ଡୁଅ ଜବତ କରାଯାଇଥିଲା ।
ଘଟଣାସ୍ଥଳରୁ ଦୁଇଜଣ ଅଭିଯୁକ୍ତ କର୍ମଚାରୀଙ୍କ ହାତରେ ଧରା ପଡିଥିବାବେଳେ ଅନ୍ୟଦୁଇ ମୁଖ୍ୟ ଅଭିଯୁକ୍ତ ସେଠାରୁ ଫେରାର ହୋଇଯାଇଥିଲେ । ତେବେ ଖୁବଶୀଘ୍ର ସେମାନେ ବନବିଭାଗ ହାତରେ ଧରାପଡିବେ ବୋଲି ଯାଜପୁର ରୋଡ୍ ଫରେଷ୍ଟ ରେଞ୍ଜର ଦେବେନ୍ଦ୍ର ପଟ୍ଟନାୟକ ସୂଚନା ଦେଇଛନ୍ତି । ଅନ୍ୟପଟେ ଏହି କାରବାରରେ କୌଣସି ଏକ ରାକେଟ୍ କାର୍ଯ୍ୟ କରୁଥିବା ସନ୍ଦେହ କରୁଛି ବନ ବିଭାଗ ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ