ଜଗତସିଂହପୁର: ପାଣି ପାଇଁ ହାଣ୍ଡି, ମାଠିଆ ଧରି ଅଭିନଵ ଉପାୟରେ ମହିଳାମାନେ ବ୍ଲକ ଅଫିସ ଆଗରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ କୁଜଙ୍ଗ ବ୍ଲକ ପଣ୍ଡୁଆ ପଞ୍ଚାୟତର ଅଢାଙ୍କୁର ଗ୍ରାମର ହରିଜନ ପଡା ଗ୍ରାମରେ ଦୀର୍ଘ ଦଶବର୍ଷରୁ ଊର୍ଦ୍ଧ୍ବ ସମୟ ହେବ ପାଣି ସମସ୍ୟାରେ ଅତିଷ୍ଠ ହୋଇପଡିଛନ୍ତି ହରିଜନ ପଡାର ବାସିନ୍ଦା । ପାଖାପାଖି ଏକ ହଜାରରୁ ଊର୍ଦ୍ଧ୍ବ ଏହି ହରିଜନ ସମ୍ପ୍ରଦାୟର ଲୋକମାନେ ଗୋଟିଏ ମାତ୍ର ନଳକୂଅ ଉପରେ ନିର୍ଭର କରୁଛନ୍ତି । ଯାହାକି ଏତେ ଲୋକଙ୍କୁ ପାଣି ଯୋଗାଇବାକୁ ସକ୍ଷମ ହେଉନି ଏହି ନଳକୂପ ।
ବିଭିନ୍ନ ସମୟରେ ନଳକୂପରୁ ବାଲି ବାହାରୁଥିବା ଅଭିଯୋଗ କରିଛନ୍ତି । ଏହି ବିଷୟରେ ପୂର୍ବରୁ ସେ ବାରମ୍ବାର ପ୍ରଶାସନକୁ ଜଣାଇଥିଲେ ବି କିଛି ପଦକ୍ଷେପ ନିଆଯାଇ ନାହିଁ । ଏହାକୁ ବିରୋଧ କରି ଆଜି ଶତାଧିକ ମହିଳା ଏକଜୁଟ ହୋଇ ହାଣ୍ଡି, ଗରା ଧରି କୁଜଙ୍ଗ ବ୍ଲକ ଅଫିସ ସମ୍ମୁଖରେ ଧାରଣାରେ ବସିଥିଲେ । ଯଦି ଦୀର୍ଘ ଦିନ ଧରି ଗ୍ରାମରେ ଚାଲିଥିବା ପାନୀୟ ଜଳ ସମସ୍ୟାର ସମାଧାନ ନହୁଏ ତେବେ ଆଗାମୀ ଦିନରେ ମହିଳାମାନେ ବ୍ଲକ ଅଫିସ ସମ୍ମୁଖରେ ଅନଶନରେ ବସିବା ସହିତ ରାଜରାସ୍ତା ଅବରୋଧ କରିବେ ବୋଲି ପ୍ରକାଶ କରିଛନ୍ତି । ଏହି ବିଷୟରେ ବିଡ଼ିଓଙ୍କୁ ପ୍ରଶ୍ନ କରିବାରୁ ସେ କହିଥିଲେ ଯେ, ‘‘ଆମେ ଅବଗତ ଅଛୁ ଏବଂ ଯେତେଶୀଘ୍ର ସମ୍ଭବ ଏହି ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରୁଛୁ ବୋଲି ପ୍ରକାଶ କରିଛନ୍ତି ।’’
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ