ଭୁବନେଶ୍ବର: ପାରାଦ୍ବୀପ ଅଭୟଚାନ୍ଦପୁର ଥାନା ହାଜତ ମୃତ୍ୟୁ ଅଭିଯୋଗ ଘଟଣା । ନିଜ ଆଡ଼ୁ ମାମଲା ରୁଜୁ କରିଛି ରାଜ୍ୟ ମାନବାଧିକାର କମିଶନ(OHRC) । 2 ସପ୍ତାହ ମଧ୍ୟରେ ତଦନ୍ତ ସାରି ରିପୋର୍ଟ ଦେବାକୁ କମିଶନ ଏସପିଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି ।

ବ୍ୟବଚ୍ଛେଦ ସହ ତଦନ୍ତ ରିପୋର୍ଟ ଦେବାକୁ SPଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ମେ 20 ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ OHRCଙ୍କ ନିର୍ଦ୍ଦେଶ ରହିଛି । ସୂଚନା ଅନୁଯାୟୀ, ମୃତକ ହେଉଛନ୍ତି ମନୋରଞ୍ଜନ ବରି । ଘର ଲୋକଙ୍କ ଅଭିଯୋଗ ମୁତାବକ ଅଭୟଚାନ୍ଦପୁର ଥାନା ପୋଲିସ ମନୋରଞ୍ଜନଙ୍କୁ ଉଠାଇ ନେଇଥିଲା । ହାଜତରେ ତାଙ୍କୁ ପିଟିଲା, ଆଉ ତାଙ୍କର ମୃତ୍ୟୁ ହୋଇଗଲା । ଘଣ୍ଟ ଘୋଡାଇବା ପାଇଁ ଏବେ ପୋଲିସ ହତ୍ୟାକୁ ଦୁର୍ଘଟଣାର ରୂପ ଦେବାକୁ ଚେଷ୍ଟା କରୁଛି ବୋଲି ଅଭିଯୋଗ କରିଛନ୍ତି ମନୋରଞ୍ଜନଙ୍କ ପରିବାର ଲୋକେ ।

ଜଗତସିଂହପୁର ପୋଲିସ ରାତାରାତି ମନୋରଞ୍ଜନଙ୍କ ମୃତଦେହର ବ୍ୟବଚ୍ଛେଦ କରିଥିବା ଜଣାପଡିଛି । ମାତ୍ର ଆଶ୍ଚର୍ଯ୍ୟଜନକ ଭାବେ ଏ ନେଇ ଜିଲ୍ଲା ପ୍ରଶାସନ ମୁହଁ ଖୋଲୁ ନଥିବାବେଳେ ଏହାକୁ ନେଇ ସାଧାରଣରେ ନାନା ସନ୍ଦେହ ସୃଷ୍ଟି ହୋଇଛି । ଅନ୍ୟପଟେ ପୂର୍ବରୁ ରାଜ୍ୟରେ ହୋଇଥିବା ପୁରୀ, ବରଗଡ଼, ଗୋଲନ୍ଥରା, ଭୁବନେଶ୍ବର ଆଉ ଏବେ ଜଗତସିଂହପୁର ହାଜତ ମୃତ୍ୟୁ ଘଟଣା ସାମନାକୁ ଆସିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ