ଜଗତସିଂହପୁର/ଢେଙ୍କାନାଳ: ରାଜ୍ୟର ବିଭିନ୍ନ ସ୍ଥାନରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ଗଣମାଧ୍ୟମ ହେଉଛି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ । ସରକାର ଓ ଜନସାଧାରଣଙ୍କ ମଧ୍ୟରେ ଯୋଗସୂତ୍ର । ପ୍ରତି ବର୍ଷ ପ୍ରେସ କାଉନସିଲ ପକ୍ଷରୁ ନଭେମ୍ବର ୧୬ ତାରିଖକୁ ସାରା ଦେଶରେ ଜାତୀୟ ପ୍ରେସ ଦିବସ ଭାବେ ପାଳନ କରାଯାଇଥାଏ । ସେହିଭଳି ଆଜି ଜଗତସିଂହପୁର ଏବଂ ଢେଙ୍କାନାଳ ଜିଲ୍ଲା ମଧ୍ୟ ଜିଲ୍ଲାସ୍ତରୀୟ ପ୍ରେସ ଦିବସ ପାଳନ କରାଯାଇଛି ।
ଆଜି ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହରେ, ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ ଜିଲ୍ଲାପାଳ ପାରୁଲ ପଟାୱରିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦର ସଭାପତି ମନୋଜ କୁମାର ଭୋଇ ମୁଖ୍ୟଅତିଥି ଭାବେ ଯୋଗଦେଇ ନିରପେକ୍ଷ ଓ ସୁସ୍ଥ ସମାଜ ଗଠନ ପାଇଁ ଗଣମାଧ୍ୟମର ଗୁରୁତ୍ଵ ଦେଇଥିଲେ । ସତ୍ୟର ସନ୍ଧାନରେ ନିର୍ଭୀକ ନେତୃତ୍ୱ ନେଇ ଜନସାଧାରଣଙ୍କୁ ସରକାରଙ୍କ ସହ ଯୋଡ଼ିବାକୁ ଆହ୍ଵାନ ଦେଇଥିଲେ ।
ଏହାସହ ଜିଲ୍ଲାପାଳ ପାରୁଲ ପଟାୱରି ଗଣମାଧ୍ୟମକୁ ଦେଶର ପ୍ରଗତିର ଅନ୍ୟତମ ସାରଥୀ ବୋଲି ସମ୍ବୋଧନ କରି ସମସ୍ତ ପ୍ରତିକୂଳ ପରିସ୍ଥିତିରେ ସଂଗ୍ରାମ କରି ସତ୍ୟର ସନ୍ଧାନ ଦେଉଥିବାରୁ ଉପସ୍ଥିତ ସମସ୍ତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସାଧୁବାଦ ଜଣାଇଥିଲେ । ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଲଗ୍ନଜିତ ରାଉତ ଯୋଗଦେଇଥିଲେ । ସେହିପରି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ ସ୍ଵାଗତ ଭାଷଣ ଦେବାସହ ଅତିଥି ପରିଚୟ ପ୍ରଦାନ କରିଥିଲେ ।
ଏହା ମଧ୍ୟ ପଢନ୍ତୁ ....ପୁରୀରେ ଜାତୀୟ ପ୍ରେସ ଦିବସ ପାଳିତ, ଗଣମାଧ୍ୟମର ଭୂମିକା ସମ୍ପର୍କରେ ଆଲୋଚନା
ଅନ୍ୟପଟେ ଢେଙ୍କାନାଳ ଜିଲ୍ଲା ସଦର ମହକୁମାରେ ମଧ୍ୟ ପ୍ରେସ ଦିବସ ପାଳିତ ହେଇଯାଇଛି । ଏହି ଅବସରରେ ମୁନିସିପାଲିଟି ଅଡିଟୋରିୟମରେ "କୁତ୍ରିମ ବୁଦ୍ଧିମତା ଯୁଗରେ ଗଣ ମାଧ୍ୟମ "ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହେଇଯାଇଛି । ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳର ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠି ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ l ଆଲୋଚନାର ଶୀର୍ଷକ ଉପରେ ସାମ୍ବାଦିକ ବିରଞ୍ଚି ନାରାୟଣ ସେଠ, ପ୍ରତାପ ବରାଳ,ରତନ ନାୟର,ସତ୍ୟସ୍ୱରୂପ ଦାସ, ଅଥୟ ସାହୁ, ଶିଶିର ଶତପଥୀ, ଲଷ୍ମୀକାନ୍ତ ସାହୁ, ଅମରେନ୍ଦ୍ର ଦାଶ, ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଭିଷେକ ବେହେରା ପରିଚାଳନା କରିଥିବା ବେଳେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ସାମ୍ବାଦିକ ଓ ସାମ୍ବାଦିକାମାନେ ଯୋଗ ଦେଇଥିଲେ l
ଇଟିଭି ଭାରତ, ଜଗତସିଂହପୁର/ଢେଙ୍କାନାଳ