ଜଗତସିଂହପୁର: ଜିଲ୍ଲାର ମୁଖ୍ୟ ବସଷ୍ଟାଣ୍ଡ ଠାରେ ଜଣେ ଯୁବକଙ୍କ ନିକଟରୁ ପ୍ରାୟ 5 କେଜି 165 ଗ୍ରାମ ଗଞ୍ଜେଇ ଜବତ ହୋଇଛି । ଏହି ଘଟଣାରେ ଅଭିଯୁକ୍ତ ଯୁବକକୁ ଗିରଫ କରାଯାଇଛି । ତେବେ ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ଚଢାଉ କରିଥିବା ଜଣାପଡିଛି ।
ଜିଲ୍ଲା ସଦର ପୋଲିସ ବିଶେଷ ସୂତ୍ରରୁ ଖବର ପାଇବା ପରେ ଚଢାଉ କରି ଯୁବକଙ୍କ ନିକଟରୁ ଏହି ବିପୁଳ ପରିମାଣର ଗଞ୍ଜେଇକୁ ଜବତ କରିଥିଲା । ସଂପୃକ୍ତ ଯୁବକର ନାମ ସତ୍ୟବ୍ରତ ମଲ୍ଲିକ(୨୧) ଏବଂ ସେ ସ୍ଥାନୀୟ ବାଲିକୁଦା ଅଞ୍ଚଳର ବୋଲି ପୋଲିସ ସୂତ୍ରରୁ ପ୍ରକାଶ । ସୂଚନା ମୁତାବକ ରବିବାର ଦିନ ୧୨ଟା ସମୟରେ ଅଭିଯୁକ୍ତ ସତ୍ୟବ୍ରତ ଏକ ଟ୍ରଲି ବ୍ୟାଗରେ ୫କେଜି ୧୬୫ ଗ୍ରାମ ଓଜନର ଚୋରା ଗଞ୍ଜେଇ ରଖି ମୁଖ୍ୟ ବସଷ୍ଟାଣ୍ଡ ନିକଟରେ ନିଜର ମଟର ସାଇକେଲରେ ଯାଉଥିବା ସମୟରେ ସଦର ପୋଲିସର ଏକ ଟିମରେ ସେଠାରେ ସଜାଗ ରହିଥିଲା ।
ଥାନା ଅଧିକାରୀ ରଜନୀକାନ୍ତ ମିଶ୍ରଙ୍କ ନିର୍ଦ୍ଦେଶ ଅନୁସାରେ ସବ ଇନ୍ସପେକ୍ଟର ରବିନାରାୟଣ ବେହେରାଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ସେଠାରେ ମୁତୟନ ରହିଥିବା ବେଳେ ଅଭିଯୁକ୍ତ ଏବଂ ତାର ମଟର ସାଇକେଲ ସମେତ ଚୋରା ଗଞ୍ଜେଇକୁ ଜବତ କରିବାରେ ସକ୍ଷମ ହୋଇଛି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ