ଜଗତସିଂହପୁର: ପାରିବାରିକ କଳହକୁ କେନ୍ଦ୍ରକରି ଗତ 25 ତାରିଖରୁ ଘର ଛାଡି ଚାଲିଯାଇଥିବା ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ଜଗତସିଂହପୁର ପୋଲିସ । ଜଗତସିଂହପୁର ଥାନା ଅନ୍ତର୍ଗତ ଟିଟିଙ୍ଗା ଗ୍ରାମର ଚନ୍ଦନ ଭୋଇ ନାମକ ଜଣେ ଯୁବକ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ ପାଟିତୁଣ୍ଡ ହୋଇଥିଲା ।
ଫଳରେ ଯୁବକ ଜଣକ 25 ତାରିଖ ରାତିରେ ଘର ଛାଡ଼ି କେଉଁଆଡ଼େ ଚାଲି ଯାଇଥିଲେ । ପରିବାର ଲୋକେ ଖୋଜାଖୋଜି କରିଥିଲେ ମଧ୍ୟ ଚନ୍ଦନଙ୍କ ପତ୍ତା ମିଳିପାରି ନଥିଲା । ଆଜି ଏକ ପୋଖରୀ ନିକଟରେ ଚନ୍ଦନଙ୍କ ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଜଗତସିଂହପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପାଣି ଭିତରୁ ମୃତଦେହ କାଢି ବ୍ୟବଚ୍ଛେଦ ପାଇଁ ଜଗତସିଂହପୁର ଡାକ୍ତରଖାନାକୁ ପଠାଇଛି । ଯୁବକଙ୍କ କିପରି ମୃତ୍ୟୁ ହେଲା ଏହା ଆତ୍ମହତ୍ୟା କି କେହି ହତ୍ୟା କରି ଚନ୍ଦନକୁ ଫୋଫାଡ଼ି ଦେଇଛି ତାକୁ ନେଇ ପୋଲିସ ଖୋଳତାଡ଼ ଆରମ୍ଭ କରିଛି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ