ଜଗତସିଂହପୁର: ଖୋଲା ଆକାଶ ତଳେ ମଣ୍ତିରେ ପଡି ରହିଛି ବସ୍ତା ବସ୍ତା ଧାନ । ଜଗତସିଂହପୁର ଜିଲ୍ଲାର 8ଟି ବ୍ଲକରେ ପ୍ରାୟତଃ ସବୁ ସ୍ଥାନରେ ମଣ୍ଡି ଖୋଲି ପାରିନାହିଁ । ହାତ ଗଣନ୍ତି କେତୋଟି ସ୍ଥାନରେ ମଣ୍ଡି ଖୋଲିଥିଲେ ମଧ୍ୟ ସେଠାରୁ ନିୟମିତ ମିଲରମାନେ ଆସୁ ନଥିବାରୁ ଧାନ ଗୁଡିକ ଉଠି ପାରୁନାହିଁ । ଫଳରେ ଶୀତ କାକରରେ ଧାନ ଗୁଡିକ ପଡିରହୁଛି । ସଦର ବ୍ଲକ ଅନ୍ତର୍ଗତ ଚାନ୍ଦଗଡ଼ ଧାନ ମଣ୍ଡିରେ ଟ୍ରନ ଟ୍ରନ ଧାନ ସପ୍ତାହ ହେଲାଣି ପଡିକି ରହିଛି। ଧାନ ଆଣିଥିବା ଚାଷୀ ନିଜ ଧାନକୁ ଜଗି ପଡି ରହୁଛନ୍ତି ।
କର୍ତ୍ତୃପକ୍ଷଙ୍କ କହିବା କଥା ହେଲେ ଜିଲ୍ଲାରେ ପର୍ଯ୍ୟାପ୍ତ ପରିମାଣରେ ରାଇସ ମିଲ ନଥିବାରୁ ଜିଲ୍ଲା ବାହାର ସମ୍ବଲପୁର ଓ ବରଗଡ଼ରୁ ମିଲରମାନେ ଆସିଥାନ୍ତି। ଦୂରରୁ ଆସୁଥିବାରୁ ପହଞ୍ଚିବାରେ ବିଳମ୍ବ ହେଉଥିବା ପ୍ରକାଶ କରିଛନ୍ତି। ତେବେ ନିର୍ଦ୍ଧିଷ୍ଟ ସମୟରେ ଚାଷୀଙ୍କୁ ମେସେଜ ଦିଅ ନ ଯାଇ ସପ୍ତାହ ଆଗରୁ ଦିଆଯାଉ ଥିବାରୁ ଅଯଥାରେ ଦିନ ଦିନ ଧରି ଚାଷୀ ନିଜ ଧାନକୁ ଆଣି ଖରା କାକରରେ ପଡି ରହୁଥିବାରୁ ଅସନ୍ତୋଷ ଦେଖାଦେଇଛି ।
ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ