ଜଗତସିଂହପୁର: ନାଉଗାଁ ବ୍ଲକ କଣ୍ଟୁଣିଆ ହାଟ ଗ୍ରାମରେ ଅଭାବନୀୟ ଘଟଣା । ପାଇଖାନାରେ 7 ଦିନ ରହିଲେ ପ୍ରବାସୀ । ହୋମ କ୍ବାରେଣ୍ଟାଇନ୍ ରହିବାକୁ ସରପଞ୍ଚ କହିବା ପରେ ଘର ନଥିବାରୁ ତାମିଲନାଡୁ ଫେରନ୍ତା ଯୁବକ ଜଣଙ୍କ ଶୌଚଳୟରେ ରହିଛନ୍ତି ।
କଣ୍ଟୁଣିଆ ହାଟ ଗ୍ରାମର ଅରୁଣ ପାତ୍ରଙ୍କ ପୁଅ ମାନସ ଗତ କିଛିଦିନ ତଳେ ତାମିଲନାଡୁରୁ ନିଜ ଗାଁ କଣ୍ଟୁଣିଆକୁ ଫେରିଥିଲେ । ଗାଁକୁ ଫେରିବା ପରେ ସ୍ଥାନୀୟ ସରପଞ୍ଚ ତାଙ୍କୁ 7 ଦିନ ସଙ୍ଗରୋଧ କେନ୍ଦ୍ରରେ ରଖିବା ପରେ ଆଉ ସାତଦିନ ନିଜ ଘରେ ହୋମ୍ କ୍ବାରେଣ୍ଟାଇନ୍ ରହିବାକୁ କହିଥିଲେ ।
କିନ୍ତୁ ମାନସଙ୍କ ଗୋଟିଏ ବଖରା ଚାଳଘର ଥିବାରୁ ସେ ତାଙ୍କ ପାଇଖାନାରେ ସାତଦିନ ରହିଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ପ୍ରଶାସନର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ସରକାର ପ୍ରବାସୀ ମାନଙ୍କ ରହଣୀ ବାବଦରେ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ତାମିଲନାଡୁ ଫେରନ୍ତାଙ୍କ ଲାଟ୍ରିନ୍ ଘରେ ରହଣିକୁ ଲୋକେ ନିନ୍ଦା କରୁଥିବା ଦେଖିବାକୁ ମିଳିଛି ।
ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ