ଜଗତସିଂହପୁର: ଗତକାଲି( ଅପରାହ୍ନ)ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରୋଗୀ କଲ୍ୟାଣ ସମିତି ବୈଠକ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବା ଖୋଲା ପାଣ୍ଠିର ସୁ-ବିନିଯୋଗ ଓ ରୋଗୀ ମାନଙ୍କ ଆବଶ୍ୟକତାକୁ ନେଇ ଅର୍ଥର ସଠିକ ପରିଚାଳନାକୁ ଗୁରୁତ୍ୱ ଦେଇଥିଲେ ।
ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗତ ଫ୍ରେବୃଆରୀରୁ ଜୁନ ମାସ ପର୍ଯ୍ୟନ୍ତ କେତେ ଅର୍ଥ ବିନିଯୋଗ କରାଯାଇଛି ତା’କୁ ନେଇ ଜିଲ୍ଲାପାଳ ସମୀକ୍ଷା କରିଥିଲେ । ଜଗତସିଂହପୁର ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାରୁ ଯେପରି କେହି ବଞ୍ଚିତ ନହେବେ ସେଥିପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲାପାଳ କହିଛନ୍ତି । ଏହି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ବିଜୟା ପଣ୍ଡା, ଜିଲ୍ଲା ଜନସ୍ୱାସ୍ଥ ଅଧିକାରୀ ଡା. ଶତ୍ରୁଘ୍ନ ଦାସ, ଡା. କ୍ଷେତ୍ରବାସୀ ଦାସ, ଜିଲ୍ଲା ଜନସ୍ୱାସ୍ଥ ଓ ପରିବାର କଲ୍ୟାଣ ଅଧିକାରୀ ପ୍ରମୋଦ କୁମାର ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ