ଜଗତସିଂହପୁର: ଆଜି ହେଉଛି ମାଣବସାର ଶେଷ ପାଳି । ଗାଁଠାରୁ ସହର ବିଭିନ୍ନ ସ୍ଥାନରେ ଝୋଟି ଚିତାରେ ମା'ଙ୍କୁ ପୂଜାର୍ଚ୍ଚନା କରାଯାଉଛି । ଅନ୍ୟପଟେ କୋରୋନା କାରଣରୁ ଜିଲ୍ଲାର ପ୍ରମୁଖ ମନ୍ଦିର ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିଥିବାବେଳେ କଟକଣା ମଧ୍ୟରେ ଜିଲ୍ଲାର ପ୍ରାୟ 60ଟି ସ୍ଥାନରେ ମା'ଙ୍କୁ ପୂଜାର୍ଚ୍ଚନା କରାଯାଉଛି ।
ମାଣବସାର ଶେଷ ଗୁରୁବାର ହୋଇଥିବାରୁ ଗାଁ ଗହଳିରେ ଝୋଟିଚିତା ସାଙ୍ଗକୁ ମା' ଧନଦାତ୍ରୀଙ୍କ ପୂଜାର୍ଚ୍ଚନା କରାଯିବା ସହ ଗୃହିଣୀମାନେ ମାଣ ବସାଇଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଗାଁ ଗହଳିର ବିଭିନ୍ନ ସ୍ଥାନରେ ଲକ୍ଷ୍ମୀନାରାୟଣଙ୍କ ମୂର୍ତ୍ତିକୁ ମଣ୍ଡପରେ ପୂଜା କରାଯାଉଛି । ସେପଟେ ମହାମାରୀ ସମୟ ପାଇଁ ସହରର ବିଭିନ୍ନ ଲକ୍ଷ୍ମୀ ମନ୍ଦିରରେ ମା'ଙ୍କ ଦର୍ଶନକୁ ଶ୍ରଦ୍ଧାଳୁମାନଙ୍କ ପାଇଁ ବାରଣ କରାଯାଇଛି ।
ତଥାପି ପୁରପଲ୍ଲୀରେ ଘରେ ଘରେ ଆଡମ୍ବରରେ ମାଣବସା ପୂଜାକୁ ପାଳନ କରାଯାଉଛି । ଘରେ ଘରେ ସୁନ୍ଦର ଝୋଟି ଚିତା ସାଙ୍ଗକୁ ସମସ୍ତଙ୍କ ଘରେ ପୂଜାର୍ଚ୍ଚନା ହେଉଥିବାରୁ ଗ୍ରାମାଞ୍ଚଳରେ ଏକ ଆଧ୍ୟାତ୍ମିକତା ପରିବେଶ ସୃଷ୍ଟି ହୋଇଛି । ସେପଟେ ମାର୍ଗଶିର ମାସର ଶେଷ ଗୁରୁବାର ସହ ଶୁକ୍ଳ ଦଶମୀ ତିଥି ହୋଇଥିବାରୁ ବିଭିନ୍ନ ସ୍ଥାନରେ ସୁଦଶାବ୍ରତ ମଧ୍ୟ ପାଳନ କରାଯାଉଥିବା ଦେଖିବାକୁ ମିଳିଛି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ