ଜଗତସିଂହପୁର: ଟ୍ରେନ ଧକ୍କାରେ ଯୁବକ ମୃତ । ଆଜି କଟକ-ପାରାଦୀପ ରେଳ ଲାଇନରେ ଏହି ଦୁର୍ଘଟଣା ଘଟିଛି । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ତାଳପଡା ପଞ୍ଚାୟତ ଅନ୍ତର୍ଗତ ରାହାମା କନ୍ଦମୂଳ ପଡିଆ ଲେବୁଲ କ୍ରସିଂ ନିକଟ ରେଳ ଲାଇନରେ ଜଣେ ଯୁବକ ଟ୍ରେନ ଧକ୍କାରେ ପ୍ରାଣ ହରାଇଛନ୍ତି । ମୃତକ ହେଲେ ତାଳପଡା ଗ୍ରାମର ପାଗଳ ସାହୁଙ୍କ ପୁଅ ଭିକି ଓରଫ ଦୀପ୍ତି ରଞ୍ଜନ ସାହୁ ।
ଭିକି ବୃତ୍ତିରେ ଜଣେ ଅଟୋ ଚାଳକ । ତାଙ୍କୁ କଟକରୁ ପାରାଦୀପ ଅଭିମୁଖେ ଯାଉଥିବା କୋଇଲା ବୋଝେଇ ଟ୍ରେନ ଧକ୍କା ଦେଇଥିଲା । ଏଥିରେ ଭିକିର ଦୁଇଟି ଗୋଡ଼ କଟିଯାଇଥିବା ବେଳେ ମୂର୍ମୁଷୁ ଅବସ୍ଥାରେ ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଯୋଗେ ଉଦ୍ଧାର କରି ମଣିଜଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଚଳନ୍ତା କୋଇଲା ବୋଝେଇ ଟ୍ରେନରୁ କୋଇଲା ଚୋରି ଉଦ୍ୟମ କରୁଥିବା ବେଳେ ବେଳେ ଏଭଳି ଦୁର୍ଘଟଣା ଘଟିଥିବା ଆଲୋଚନା ହେଉଛି । ଖବର ପାଇ ତିର୍ତ୍ତୋଲ ପୋଲିସ ମେଡିକାଲରେ ପହଞ୍ଚି ଘଟଣାର ଅନୁସନ୍ଧାନ କରିଛି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ