ବ୍ରହ୍ମପୁର: ସମସ୍ତ ପ୍ରକାର ତଦନ୍ତକୁ ଆମେ ସହଯୋଗ କରିବୁ । ଆମେ ଘଟଣା ସମ୍ପର୍କରେ କିଛି ଜାଣିନାହୁଁ । ଆଜି ଏହା କହିଛନ୍ତି ଦିଂବଗତ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାର ଅଭିଯୁକ୍ତ ଗୋପାଳ ଦାସଙ୍କ ପତ୍ନୀ ଜୟନ୍ତୀ ଦାସ । ଜୟନ୍ତୀ କହିଛନ୍ତି ଯେ ଆମ ପରିବାର ସମସ୍ତ ପ୍ରକାର ତଦନ୍ତକୁ ଆମେ ସହଯୋଗ କରିବୁ ।
ଗତକାଲିର ଘଟଣା ପରେ ନିଖୋଜ ହୋଇଯାଇଥିବା ଚର୍ଚ୍ଚାର ଜବାବ ରଖି ଜୟନ୍ତୀ କହିଛନ୍ତି ଆମେ ସେଠାରେ ଏକା ରହୁଥିଲୁ । ଘଟଣା ପରେ ପୁଅ ଝିଅ ବ୍ୟତିବ୍ୟସ୍ତ ହେବା ସହ ଭୟଭୀତ ଅଛନ୍ତି । ତେଣୁ ଶ୍ବଶୁର ଘର ଅର୍ଥାତ ଅଭିଯୁକ୍ତ ଗୋପାଳଙ୍କ ପୈତୃକ ଘରକୁ ଆସି ରହୁଛୁ କହିଛନ୍ତି ଜୟନ୍ତୀ । ଗୋପାଳ ଦାସଙ୍କ ପତ୍ନୀ ଆହୁରି କହିଛନ୍ତି ଗୁଳି ଚାଳନା କରିଥିବା ଗୋପାଳଙ୍କ ସହିତ କିମ୍ବା ତାଙ୍କ ପରିବାର ସହିତ ସ୍ବର୍ଗତ ମନ୍ତ୍ରୀ ନବକିଶୋର ଦାସଙ୍କ କୌଣସି ଶତ୍ରୁତା ନଥିଲା । ସ୍ବାମୀ ଗୋପାଳ ଦାସ ଏପରି କାହିଁକି କଲେ ତାହା ପରିବାର ବର୍ଗ ମଧ୍ୟ ଜାଣିନାହାଁନ୍ତି । ସେପଟେ ଘଟଣା ପରେ ଗୋପାଳଙ୍କ ବିଷୟରେ ପ୍ରତିକ୍ରିୟା ରଖିଛନ୍ତି ସ୍ଥାନୀୟ ବାସିନ୍ଦା ।
ଅନ୍ୟପଟେ ଆଜି ପଞ୍ଚଭୂତରେ ବିଲୀନ ହୋଇଛନ୍ତି ସ୍ବସ୍ଥ୍ୟମନ୍ତ୍ରୀ ନବ ଦାସ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କର୍ମଭୂମି ଝାରସୁଗୁଡା ଖେରୁଆଲରେ ଶୋକାକୁଳ ପରିବେଶରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ହଜାର ହଜାର ସମର୍ଥକଙ୍କଠୁ ବିଦାୟ ନେଇଛନ୍ତି ନବ ଦାସ । ଶେଷ ଦର୍ଶନ କରିଛନ୍ତି ହଜାର ହଜାର ସମର୍ଥକ, ଶୁଭେଚ୍ଛୁ, ମନ୍ତ୍ରୀ, ବିଧାୟକ, ସାଂସଦଙ୍କ ସମେତ ପୁରା ପଶ୍ଚିମ ଓଡିଶାବାସୀ । ପୁଅ ବିଶାଲ ଦାସ ମୁଖାଗ୍ନି ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ ଗତକାଲି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ବ୍ରଜରାଜନଗରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବାବେଳେ ତାଙ୍କୁ ପୋଲିସକର୍ମୀ ଗୋପାଳ ଦାସ ଗୁଳି କରିଥିଲେ । ଗୁରୁତର ନବଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରେ ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ଏୟାରଲିପ୍ଟ କରାଯାଇଥିଲା । ଡାକ୍ତରଙ୍କ ସମସ୍ତ ଉଦ୍ୟମ ସତ୍ବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା । ପୁରା ଘଟଣାର ତଦନ୍ତ ଏବେ କ୍ରାଇମବ୍ରାଞ୍ଚ କରୁଛି ।
ଇଟିଭି ଭାରତ, ବ୍ରହ୍ମପୁର