ଭଞ୍ଜନଗର: ପାହାଡରେ ନିଆଁ ଲଗାଉଥିବା ଅଭିଯୋଗ କରି ଆଦିବାସୀ ସମ୍ପ୍ରଦାୟଙ୍କୁ ସ୍ଥାନ ଛାଡି ଚାଲିଯିବାକୁ ତାଗିଦ କଲେ ଗ୍ରାମବାସୀ । ଏପରି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ବରୀଗୁଡା ଗାଁରେ । ଗ୍ରାମ ନିକଟ ପାହାଡ଼ରେ ଆଦିବାସୀ ମାନେ ବାରଣ ସତ୍ତ୍ବେ ବାରମ୍ବାର ନିଆଁ ଲଗାଉଥିବା ଅଭିଯୋଗ କରି ଏପରି ନିଷ୍ପତ୍ତି ନେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।
ଘଟଣାକ୍ରମ ଅନୁସାରେ ଏକ ବର୍ଷ ହେବ ସାଆବା ଅଞ୍ଚଳରୁ 5 ରୁ 6 ଟି ଆଦିବାସୀ ପରିବାର ଆସି ଉକ୍ତ ସ୍ଥାନରେ ବସବାସ କରି ଆସୁଛନ୍ତି ।ସେମାନଙ୍କୁ ଏବେ ଉକ୍ତ ସ୍ଥାନ ଛାଡି ଚାଲିଯିବା ପାଇଁ ବରୀଗୁଡା ଗ୍ରାମବାସୀ କହିଛନ୍ତି । ବାରମ୍ବାର ବାରଣ କରିବା ସତ୍ତ୍ବେ ମଧ୍ୟ ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିଦେଲେଣି । ତେଣୁ ସେମାନେ ବସବାସ କରୁଥିବା ସେ ସ୍ଥାନ ତୁରନ୍ତ ଛାଡି ଚାଲି ଯିବା ପାଇଁ ସେମାନଙ୍କୁ କୁହାଯାଇଥିବା ଗ୍ରାମବାସୀ କହିଛନ୍ତି ।
ଆଦିବାସୀମାନଙ୍କୁ ସ୍ଥାନ ଛାଡି ଚାଲିଯିବାକୁ 7 ଦିନ ସମୟ ଦେଇଛନ୍ତି ଗ୍ରାମବାସୀ । ଯଦି ଏହି ସମୟ ମଧ୍ୟରେ ସେମାନେ ନ ଯାଆନ୍ତି, ତେବେ ଗ୍ରାମବାସୀ ରାଜ ରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ଅନ୍ୟପଟେ ଏହି ଆଦିବାସୀମାନେ ସେହି ସ୍ଥାନରେ କିଛି ଫସଲ କରିଛନ୍ତି । ଏହି ସବୁକୁ ଅମଳ କରି ସାରିଲା ପରେ ନିଜ ପୁରୁଣା ଗାଁକୁ ଚାଲିଯିବେ ବୋଲି କହିଛନ୍ତି । ଯଦି ଏବେ ଗ୍ରାମକୁ ଯିବେ ତେବେ କଣ ଖାଇବେ ଓ କିପରି ବଞ୍ଚିବେ ବୋଲି ପ୍ରଶ୍ନ କରିଛନ୍ତି ଆଦିବାସୀ ସମ୍ପ୍ରଦାୟ ।
ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ , ଇଟିଭି ଭାରତ