ଭଞ୍ଜନଗର: ଦେଶରେ କୋରୋନା ଆତଙ୍କ ଦେଖାଯାଇଛି । କୋରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସରକାର ସାମାଜିକ ଦୂରତାକୁ ପ୍ରମୁଖ ନିରାକରଣର ମାଧ୍ୟମ ଭାବେ ଘୋଷଣା କରିଛନ୍ତି । ଏହାର ପାଳନକୁ ମଧ୍ୟ ବାଧ୍ୟତାମୂଳକ କରିଛନ୍ତି । ସାଧାରଣ ଲୋକେ କିପରି ସାମାଜିକ ଦୂରତା ରକ୍ଷା କରିବେ ସେଥିପାଇଁ ମଧ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ହେଲେ ଖୋଦ ସରକାରଙ୍କ ମନ୍ତ୍ରୀ ଏହି ନିର୍ଦ୍ଦେଶାନାମାକୁ ଆଖିଠାର କରୁଥିବାର ଦେଖିବାକୁ ମିଳିଛି । ଏପରି ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର ଭଞ୍ଜନଗରରେ ।
ଭଞ୍ଜନଗରରେ କୋରୋନା ଯୋଦ୍ଧାମାନଙ୍କୁ ସମ୍ମାନିତ କରାଯାଉଥିବା ବେଳେ ସରକାରଙ୍କ ଜଙ୍ଗଲ ପରିବେଶ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସାମାଜିକ ଦୂରତାକୁ ବେଖାତିର କରି କୋରୋନା ଯୋଦ୍ଧାମାନଙ୍କୁ ଅତି ପାଖରୁ ଉତ୍ତରୀୟ ପ୍ରଦାନ କରୁଛନ୍ତି ।
ନିୟମ ଅନୁସାରେ ଅତିକମରେ ଦୁଇ ମିଟର ବ୍ୟବଧାନ ରଖିବାକୁ ସରକାରଙ୍କ ନିର୍ଦ୍ଦେଶ ରହିଛି । ହେଲେ ଏଠାରେ ଏ ନିୟମର ଖୋଲାଖୋଲି ଉଲ୍ଲଂଘନ କରାଯାଉଛି । ଏପରିକି ଗଣମାଧ୍ୟମକୁ ସୂଚନା ଦେବା ସମୟରେ ମଧ୍ୟ ପାଖରେ ଥିବା ପୋଲିସ ଓ ଅନ୍ୟମାନେ ସାମାଜିକ ଦୂରତା ପାଠ ଭୁଲିଯାଇଥିବା ପରି ମନେହୁଏ । ଯଦି ମନ୍ତ୍ରୀ ଓ ପୋଲିସ ମାନେ ଏପରିକି କରନ୍ତି, ତେବେ ସାଧାରଣ ଜନତାଙ୍କୁ ବାଟକୁ ଆଣିବ କିଏ ? ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।
ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ