ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ କୋରୋନା ସମୟରେ ବିଭିନ୍ନ ଦାୟିତ୍ୱ ନିର୍ବାହକରି ପ୍ରାଣ ହରାଇଥିବା କୋଭିଡ ଯୋଦ୍ଧା ଶିକ୍ଷକଙ୍କ ପରିବାରକୁ ସରକାରୀ ସହାୟତା ପ୍ରଦାନ କରିବାକୁ ଦାବି । ଏଲିମେଣ୍ଟାରୀ ଶିକ୍ଷକ ସଂଘ ପକ୍ଷରୁ ସଙ୍ଘର ବାର୍ଷିକ ବୈଠକ ଅବସରରେ ଏହି ଦାବି କରାଯାଇଛି ।
ବ୍ରହ୍ମପୁର ଠାରେ ଆୟୋଜିତ ଏଲିମେଣ୍ଟାରୀ ଶିକ୍ଷକ ସଂଘର ବାର୍ଷିକ ବୈଠକ ଅବସରରେ ମୁଖ୍ୟ ଅତିଥି ରୂପେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଯୋଗଦେଇ ଥିବାବେଳେ ଏଥିରେ ସ୍ଥାନୀୟ ବିଧାୟକ ବିକ୍ରମ ପଣ୍ଡା, ଜିଲ୍ଲା ଶିକ୍ଷାଧିକାରୀ ଅମୂଲ୍ୟ ପ୍ରଧାନ, ପୂର୍ବତନ ବିଧାୟକ ଡ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାତି ମହାପାତ୍ର ମଞ୍ଚାସୀନ ଥିଲେ । ସଙ୍ଘର ସଭାପତି ରାଜେଶ ତାରିଣିଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କୋଭିଡ୍ ସମୟରେ ପ୍ରାଣ ହରାଇଥିବା ଶିକ୍ଷକଙ୍କ ପାଇଁ ଦୁଇ ମିନଟ ନିରବ ପାର୍ଥନା କରାଯାଇଥିଲା ।
ତେବେ ସରକାରଙ୍କ ପକ୍ଷରୁ କୋଭିଡ ସମୟରେ ପ୍ରାଣହରାଇ ଥିବା ଶିକ୍ଷକମାନଙ୍କ ମଧ୍ୟରୁ ତିନି ଜଣଙ୍କୁ ସହାୟତା ପ୍ରଦାନ କରାଯାଇ ଥିବାବେଳେ ଅନ୍ୟ ଯୋଦ୍ଧାଙ୍କ ପାଇଁ ସରକାରୀ ସହାୟତା ପ୍ରଦାନ ନିମନ୍ତେ ଉପସ୍ଥିତ ଅତିଥିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ସଙ୍ଘର କର୍ମକର୍ତ୍ତା । ସଙ୍ଘର ସାଧାରଣ ସମ୍ପାଦକ ସୀମାଞ୍ଚଳ ମିଶ୍ର ଏହି ବାର୍ଷିକ ବିବରଣୀ ପ୍ରଦାନ କରିବା ସହ ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ