ବ୍ରହ୍ମପୁର: ଦିଗପହଣ୍ଡିରେ ଯାତ୍ରୀବାହୀ ବସ ଓ ସରକାରୀ ବସ ମୁହାଁମୁହିଁ ଧକ୍କା ଘଟଣା । ଆହତଙ୍କୁ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଭେଟିଲା ବିଜେପିର ଏକ ପ୍ରତିନିଧି ଦଳ । ଜିଲ୍ଲା ବିଜେପି ସଭାପତି ବିଭୂତି ଭୂଷଣ ଜେନାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆହତମାନଙ୍କୁ ଭେଟି ସମବେଦନା ଜଣାଇବା ସହିତ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ । ଏହି ଅବସରରେ ମେଡ଼ିକାଲର ଅଧିକ୍ଷକଙ୍କ ସହିତ ଆଲୋଚନା କରିବା ସହିତ ବିଭିନ୍ନ ବିଭାଗର ଡ଼ାକ୍ତରଙ୍କୁ ନେଇ ତୁରନ୍ତ ଗୋଟିଏ ଟିମ୍ ଗଠନ କରି ଆହତଙ୍କୁ ଚିକିତ୍ସା କରିବା ପାଇଁ କହିଥିଲେ ।
![BJP delegation met the injured person in hospital](https://etvbharatimages.akamaized.net/etvbharat/prod-images/27-06-2023/od-bam-bjp-team-visit-at-mkcg-7205524_26062023214931_2606f_1687796371_748.jpg)
ମେଡ଼ିକାଲରେ ବିଜେପିର ପ୍ରତିନିଧି ଦଳ ଆହତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସମୟରେ ମେଡ଼ିକାଲରେ ଏକ୍ସରେ ଏବଂ ସିଟି ସ୍କାନ୍ ମେସିନ କାର୍ଯ୍ୟ କରୁନଥିବା ଜାଣିବାକୁ ପାଇଥିଲେ । ଆହତଙ୍କ ସିଟି ସ୍କାନ୍ ପାଇଁ ବାହାରକୁ ପଠାଯାଉଥିବାରୁ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନାଙ୍କ ସମେତ ଦଳୀୟ କାର୍ଯ୍ୟକର୍ତ୍ତା ପ୍ରମୁଖ ଅସନ୍ତୋଷ ପ୍ରକାଶ କରିଥିଲେ । ଜିଲ୍ଲା ସଭାପତି ମେଡ଼ିକାଲର ବିଭିନ୍ନ ସମସ୍ୟାକୁ ନେଇ ଗଭୀର କ୍ଷୋଭ ପ୍ରକାଶ କରିବା ସହିତ ଦୁର୍ଘଟଣାଗ୍ରସ୍ତ ରୋଗୀଙ୍କୁ ଦୁଇ ଘଣ୍ଟା ମଧ୍ୟରେ ସିଟି ସ୍କାନ୍ ସହ ଉପଯୁକ୍ତ ଆନୁସଙ୍ଗିକ ସୁବିଧା ପ୍ରଶାସନ ଯଦି ଯୋଗାଇ ନଦିଅନ୍ତି ତେବେ ଆହତଙ୍କ ସମ୍ପୂର୍ଣ୍ଣ ଚିକିତ୍ସା ଦାୟିତ୍ୱ ଦଳ ପକ୍ଷରୁ ନିଆଯିବ । ଯେଉଁ ରୋଗୀ ଚାହିଁବେ ସେମାନଙ୍କୁ ବିଜେପି ତା'ର ନିଜସ୍ୱ ଖର୍ଚ୍ଚରେ ଘରୋଇ ହସ୍ପିଟାଲକୁ ନେଇ ଚିକିତ୍ସା ଯୋଗାଇବା ଦେବା ସହ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବ ବୋଲି ଦଳ ପକ୍ଷରୁ କୁହାଯାଇଛି । ଏଣୁ ବିଜେପି ଜିଲ୍ଲା ସଭାପତ ଦଳ ପକ୍ଷରୁ ଏକ ୨୪ ଘଣ୍ଟିଆ ସହାୟତା କେନ୍ଦ୍ର କାର୍ଯ୍ୟ କରିବା ପାଇଁ ହେଲ୍ପ ନମ୍ବର ଜାରି କରିଛନ୍ତି ।
![BJP delegation met the injured person in hospital](https://etvbharatimages.akamaized.net/etvbharat/prod-images/27-06-2023/od-bam-bjp-team-visit-at-mkcg-7205524_26062023214931_2606f_1687796371_1100.jpg)
ଏହା ମଧ୍ୟ ପଢନ୍ତୁ-ଦିଗପହଣ୍ଡିରେ ଦୁଇ ବସ୍ ମୁହାଁମୁହିଁ ଧକ୍କା: 11 ମୃତ, ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
୯୪୩୭୦୯୫୩୫୯, ୯୩୩୮୫୮୩୧୨୯, ୯୦୪୦୩୭୭୫୯୦ ଏହି ନମ୍ବରରେ ଯୋଗାଯୋଗ କଲେ ଆହତଙ୍କୁ ସୁବିଧା ଯୋଗାଇ ଦିଆଯିବ । ତେବେ ରାଜ୍ୟ ସରକାରଙ୍କ ବ୍ରହ୍ମପୁର ଏମକେସିଜି ମେଡ଼ିକାଲ ପ୍ରତି କେତେ ଆନ୍ତରିକତା ଅଛି ତାହା ଜଣାପଡିଥିବା କହିଛନ୍ତି ଜିଲ୍ଲାର ପୂର୍ବତନ ଜିଲ୍ଲା ସଭାପତି କାହ୍ନୁ ଚରଣ ପତି । ବିଜେପି ପ୍ରତିନିଧି ଦଳର ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନାଙ୍କ ସମେତ ପୂର୍ବତନ ଜିଲ୍ଲା ସଭାପତି କାହ୍ନୁ ଚରଣ ପତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସରୋଜ ସାବତ, ବରିଷ୍ଠ ନେତା ମହନ୍ତ ଚିନ୍ମୟାନନ୍ଦ ଦାସ, ଜିଲ୍ଲା ଉପସଭାପତି ସୁବାଷ ସାହୁ ପ୍ରମୁଖ ହସ୍ପିଟାଲରେ ଉପସ୍ଥିତ ଥିଲେ । ସେହିପରି ଜିଲ୍ଲା ସମ୍ପାଦକ ବାଳକୃଷ୍ଣ ସାମନ୍ତରା, ଜିଲ୍ଲା ସ୍ୱାସ୍ଥ୍ୟ ସେଲ୍ ସଂଯୋଜକ ରାଜୀବ କୁମାର ମିଶ୍ର, ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ତୁତୁନ୍ ପାତ୍ର, ଜିଲ୍ଲା ଓବିସି ମୋର୍ଚ୍ଚା ସାଧାରଣ ସମ୍ପାଦକ ସୁନିଲ ପାତ୍ର ପ୍ରମୁଖଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।
ଇଟିଭି ଭାରତ, ବ୍ରହ୍ମପୁର