ଭଞ୍ଜନଗର: ହାରିଲା କୋରୋନା ଜିତିଲେ ଉଦୟ । ଜଣେ 95 ବର୍ଷୀୟ ବୃଦ୍ଧ କୋରୋନାକୁ ମାତ୍ ଦେଇ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକ ଚାକୁଣ୍ଡା ଗାଁ ସରବାଡିର 95 ବର୍ଷୀୟ ବୃଦ୍ଧ ଉଦୟନାଥ ବିଷୋୟୀ । ସେ ଗୁରୁତର ଭାବେ କୋରୋନା ସଂକ୍ରମିତ ହୋଇ ବ୍ରହ୍ମପୁର ଉପକଣ୍ଠ ଟାଟା କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ହେଲେ ଗତ ଜୁଲାଇ 18ରେ ସେ କୋରୋନାରୁ ସୁସ୍ଥ ହେବା ପରେ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ।
ଜଣେ ବୃଦ୍ଧ ହୋଇ କୋରୋନାକୁ ହରାଇବା ଅନ୍ୟମାନଙ୍କ ପାଇଁ ଏହା ପ୍ରେରଣାଦାୟୀ । କୋରୋନା ମୁକ୍ତ ହେବା ପରେ ଉଦୟଙ୍କ ପରିବାର ମଧ୍ୟ ବେଶ ଖୁସି ଅଛନ୍ତି । ସେପଟେ ବୃଦ୍ଧା ଉଦୟ କୋରୋନା ମୁକ୍ତ ହେବା ପରେ ଗଞ୍ଜାମ ଜିଲ୍ଲାପାଳ ଟ୍ବିଟ୍ କରି ଏନେଇ ସୂଚନା ଦେଇଥିଲେ । ଏଥିସହ କୋରୋନା ଲଢେଇର ନେତୃତ୍ବ ନେଇଥିବା ଡାକ୍ତରଙ୍କ ପ୍ରଶଂସା କରିବା ସହ କୋଭିଡ ଯୋଦ୍ଧାଙ୍କୁ ସାଲ୍ୟୁଟ କରିଛନ୍ତି ।
ସେହିପରି ଜିଲ୍ଲାପାଳଙ୍କୁ ଟ୍ବିଟ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରିଟ୍ବିଟ୍ କରି ବୃଦ୍ଧା ଉଦୟନାଥ ବିଷୋୟୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ, ବର୍ତ୍ତମାନ ସାରା ଓଡିଶା କୋରୋନା ସହ ଲଢୁଥିବା ବେଳେ ଉଦୟଙ୍କ ବିଜୟ ଅନ୍ୟମାନଙ୍କୁ ମଜଭୂତ ରହିବାକୁ ପ୍ରେରଣା ଯୋଗାଇବ ।
ପ୍ରକାଶ ଥାଉ କି, ଗଞ୍ଜାମରେ କୋରୋନା ସ୍ଥିତି ବେକାବୁ ଥିବାବେଳେ ଏଯାବତ୍ ଜିଲ୍ଲାରେ 5280 ଜଣ କୋରୋନା ସଂକ୍ରମିତ ହୋଇଥିବା ବେଳେ 3275 ଜଣ ସୁସ୍ଥ ହୋଇଛନ୍ତି । ଏଥିସହ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା 59 ରହିଛି ।
ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ