ଗଜପତି: ଚାଲିଛି ନବରାତ୍ରୀ ପୂଜା । ଜଗତ ଜନନୀ ମା’ ଦୁର୍ଗାଙ୍କ ଆଗମନକୁ ନେଇ ଚାରିଆଡେ ଉତ୍ସବମୁଖର । ଏଥିପାଇଁ ଚାରିଆଡେ ପାର୍ବଣର ମାହୋଲ । ଶାରଦୀୟ ଦୁର୍ଗା ପୂଜାକୁ ବେଶ ଧୁମଧାମରେ ପାଳନ କରୁଛନ୍ତି ସମସ୍ତେ । ବିଭିନ୍ନ ଶକ୍ତି ପୀଠଠାରୁ ଆରମ୍ଭ କରି ପୂଜା ମଣ୍ଡପରେ ଚାଲିଛି ମା' ଙ୍କର ପୂଜାର୍ଚ୍ଚନା । ସମସ୍ତ ଶକ୍ତିପୀଠରେ ସେମାନଙ୍କ ପରମ୍ପରା ଅନୁସାରେ ମା'ଙ୍କୁ ଆରାଧନା କରାଯାଉଛି । ସେହିଭଳି ଏକ ପୀଠ ହେଉଛି ପାରଳାଖେମୁଣ୍ଡିର ଦଣ୍ଡମା । ଏହି ପୀଠ ବର୍ଷରେ ମାତ୍ର ୧୬ଦିନ ପାଇଁ ଖୋଲା ହୋଇଥାଏ ।
ପାରଳାଖେମୁଣ୍ଡି ଦଣ୍ଡମାଁ ଠାକୁରାଣୀଙ୍କର ରହିଛି ସ୍ବତନ୍ତ୍ରତା । ବର୍ଷ ସାରା ଏହି ମନ୍ଦିର ବନ୍ଦ ରହୁଥିବା ବେଳେ ମୂଳାଷ୍ଟମୀ ଦିନ ଏହି ପୀଠ ଖୋଲା ଯାଇଥାଏ । ଏହି ପୀଠକୁ ନେଇ ପଣ୍ଡିତମାନେ ଭିନ୍ନମତ ପୋଷଣ କରନ୍ତି । ଦଣ୍ଡାମା ହେଉଛନ୍ତି 64ଯୋଗୀନୀଙ୍କ ପ୍ରତିନିଧି । ମହାରାଜାଙ୍କ 8ଟି ଶକ୍ତି ପୀଠ ମଧ୍ୟରୁ କଦମ୍ବଖଣ୍ଡା ଅନ୍ୟତମ । ଏହି ନବରାତ୍ର ସମୟରେ ତାଙ୍କ ନିକଟରେ ମହାରାଜାଙ୍କ ସୈନ୍ୟବାହିନୀ ବ୍ୟବହାର କରୁଥିବା ବିଭିନ୍ନ ପ୍ରକାର ଅସ୍ତ୍ରଶସ୍ତ୍ର ପୂଜା କରୁଥିଲେ । ଏଥିସହ ସେ ଥିଲେ ବଳି ପିପାଶୁ। ତେଣୁ ତାଙ୍କୁ ନିମନ୍ତ୍ରଣ କରିବାବେଳେ ବିଭିନ୍ନ ପ୍ରକାର ବଳି ପ୍ରଦାନ କରାଯାଉଥିଲା । ଏଥିସହ ତାଙ୍କ ସହିତ ଆସୁଥିବା ୬୪ ଯୋଗିନୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ପୂଜାର୍ଚ୍ଚନା କରାଯାଉଥିଲା ।
ତେବେ ପ୍ରାୟ 16ଦିନ ମା'ଙ୍କ ପୂଜାର୍ଚ୍ଚନା କରାଯିବା ପରେ ଦଶହରା ବିଲମ୍ବିତ ରାତିରେ ମା'ଙ୍କ ପୀଠରେ ଏକ ନଡିଆକୁ ରଖି ପୁଣି ବନ୍ଦ କରି ଦିଆଯାଏ । ତେବେ ଏହି 16ଦିନ ମଧ୍ୟରେ ମା'ଙ୍କ ନିକଟରେ ପୂଜାର୍ଚ୍ଚନା କଲେ ମନସ୍କାମନା ପୁରଣ ହୋଇଥାଏ ବୋଲି ବିଶ୍ବାସ ରହିଛି । ଏନେଇ ଜନସମାଗମ ଦେଖିବାକୁ ମିଳିଥାଏ । ତେବେ ଏହି ମନ୍ଦିରକୁ ଆକର୍ଷଣୀୟ ସାଜ୍ଜସଜ୍ଜା କରିବା ସହ ମା'ଙ୍କ ନିକଟରେ ଖୁବ ଧୁମଧାମରେ ଏହି ପୂଜା ପାଳନ କରାଯାଇଥିାଏ ।
ଇଟିଭି ଭାରତ, ଗଜପତି