ଗଜପତି: ଗଜପତି ଜିଲ୍ଲାରେ ବର୍ତ୍ତମାନ ନୂଆ-ଓ ଯୋଜନା ମାଧ୍ୟମରେ କ୍ରୀଡା ଉତ୍ସବ ଜାରି ରହିଛି । ଗତ ୩ ତାରିଖରୁ ଆରମ୍ଭ ହୋଇଥିବା ଏବି ଉତ୍ସବ ଆସନ୍ତା ୮ ତାରିଖ ଯାଏଁ ଚାଲିବ । ତେବେ ଏହି ଆୟୋଜନରେ ବ୍ୟାପକ ଅବ୍ୟବସ୍ଥା ହୋଇଥିବା ଅଭିଯୋଗ ଆସିଛି । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । କାର୍ଯ୍ୟକ୍ରମ ପାଇଁ ଆସିଥିବା ପାଣ୍ଠିର ଦୁରୁପଯୋଗ କରାଯାଇଥିବା ଲୋକେ ଅଭିଯୋଗ କରିବା ସହ ଏହାର ତଦନ୍ତ ପାଇଁ ସ୍ଥାନୀୟ ନେତାମାନେ ଦାବି କରିଛନ୍ତି ।
ବର୍ତ୍ତମାନ ସାରା ରାଜ୍ୟରେ ନୂଆ-ଓ ଯୋଜନା ମାଧ୍ୟମରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ଜାରି ରହିଛି । ଗଜପତି ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ କ୍ରୀଡା ଉତ୍ସବ ଗତ ୩ ତାରିଖରୁ ଆରମ୍ଭ ହୋଇଛି । ଜିଲାର ସମସ୍ତ ୭ଟି ବ୍ଲକ ଏବଂ ପାରଳାଖେମୁଣ୍ଡି ପୌର ପରିଷଦରେ ଏହା ଆୟୋଜିତ ହେଉଥିବା ବେଳେ ବ୍ୟାପକ ଅବ୍ୟବସ୍ଥା ହେଉଥିବା ଅଭିଯୋଗ ହୋଇଛି । ବିଶେଷକରି ପାରଳାଖେମୁଣ୍ଡି ପୌର ପରିଷଦରେ ଚାଲିଥିବା କାର୍ଯ୍ୟକ୍ରମକୁ ନେଇ ସାଧାରଣ ଲୋକେ ଏବଂ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିବା ଖେଳାଳିମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ସହରର କଲେଜ ପଡିଆରେ କ୍ରିକେଟ ମ୍ୟାଚ ଆୟୋଜନ ହେଉଥିବା ବେଳେ ଗଜପତି ଷ୍ଟାଡ଼ିୟମରେ ଖୋଖୋ ଏବଂ କବାଡି ଖେଳ ଆୟୋଜିତ ହେଉଛି ।
ଏହାମଧ୍ୟ ପଢନ୍ତୁ... 'ନୂଆ-ଓ' ଯୁବ ଓଡିଶା ନବୀନ ଓଡିଶା କ୍ରୀଡା ପ୍ରତିଯୋଗିତାରେ ଦୁଇ ଗୋଷ୍ଠୀ ମୁହାଁମୁହିଁ
ଖେଳାଳିମାନଙ୍କ ଅଭିଯୋଗ ଅନୁଯାୟୀ, ଖେଳରେ ଅଂଶଗ୍ରହଣ କରିଥିବା ଖେଳାଳିଙ୍କ ପାଇଁ କୌଣସି ପ୍ରକାର ଖାଦ୍ୟପେୟର ବ୍ୟବସ୍ଥା କରାଯାଉନାହିଁ । ଏପରିକି ପାଣି ମଧ୍ୟ ଠିକ ଭାବେ ମିଳୁନାହିଁ । ଫଳରେ ଖେଳାଳିମାନେ ଭୋକରେ ଖେଳୁଥିବା ବେଳେ ଏହାର ତଦାରଖ କରୁଥିବା ଅଧିକାରୀମାନେ ନାନା ପ୍ରକାରର ଖାଦ୍ୟ ଖାଉଛନ୍ତି । ଖେଳାଳିମାନେ ନିଜ ବ୍ୟବସ୍ଥାରେ ପଡିଆକୁ ଆସୁଛନ୍ତି । ପଞ୍ଜିକୃତ ହୋଇଥିବା ଅନେକ ଟିମ ମ୍ୟାଚ ପାଇଁ ଆସୁନଥିବା ବେଳେ ଯେଉଁମାନେ ବି ଆସୁଛନ୍ତି ସେଥିରେ ମନ ଇଚ୍ଛା ପିଲା ଖେଳୁଛନ୍ତି । ଏହାର ତଦାରଖ କରିବା ପାଇଁ ମଧ୍ୟ କୌଣସି ଅଧିକାରୀ ଉପସ୍ଥିତ ରହୁନଥିବା ଅଭିଯୋଗ ହୋଇଛି ।
ଅନ୍ୟପଟେ ପାରଳାଖେମୁଣ୍ଡି ପୌରପରିଷଦକୁ ଏହି କାର୍ଯ୍ୟକ୍ରମ ପାଇଁ ୧୩ ଲକ୍ଷ ୮୫ହଜାର ଟଙ୍କା ଆସିଛି । ସେଥିମଧ୍ୟରୁ ପରିବହନ ବାବଦରେ ୧ଲକ୍ଷ ୪୦ହଜାର ଏବଂ ଖେଳର ଆୟୋଜନ ପାଇଁ ୩ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି । ସେହିପରି ଖାଦ୍ୟ ପାଇଁ ୧ଲକ୍ଷରୁ ଊର୍ଦ୍ଧ୍ବ ଏବଂ ପ୍ରଚାର ପ୍ରସାର ପାଇଁ ୫୦ହଜାର ଟଙ୍କା ରଖାଯାଇଛି । ହେଲେ ଖେଳାଳିଙ୍କ ଅଭିଯୋଗ ପରେ ସ୍ବଚ୍ଛତାକୁ ନେଇ ଉଠିଛି ପ୍ରଶ୍ନ ।
ଏନେଇ ଖେଳ ପରିଚାଳନା ଦାୟିତ୍ବରେ ଥିବା ଅଧିକାରୀ କିନ୍ତୁ ଏସବୁ ଅଭିଯୋଗକୁ ଖଣ୍ଡନ କରିବା ସହ ସବୁ କିଛି ଠିକଠାକ ଚାଲିଥିବା ସଫେଇ ଦେଇଛନ୍ତି । ବ୍ଲକ ସ୍ତରରେ ପିଲାମାନଙ୍କୁ ଖାଦ୍ୟ ଦିଆଯାଉଥିବା ବେଳେ ପୌରାଞ୍ଚଳରେ ଏହା କାହିଁକି ଦିଆଯାଉନି ଏବଂ ଏଥିପାଇଁ ଆସିଥିବା ଟଙ୍କା କେଉଁଭଳି ଖର୍ଚ୍ଚ ହୋଇଛି ଏସବୁର ତଦନ୍ତ ହେବା ଆବଶ୍ୟକ ହୋଇପଡିଛି ।
ଇଟିଭି ଭାରତ, ଗଜପତି