ପାରଳାଖେମୁଣ୍ଡି: ସରକାର ନିୟମ କରୁଛନ୍ତି ହେଲେ ଏହାକୁ ପାଳନା କରିବା ପାଇଁ ସୁଯୋଗ ସୃଷ୍ଟି କରୁନାହାନ୍ତି । ଯାହା ଫଳରେ ସାଧାରଣ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେବା ସାର ହେଉଛି । ଯାହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ବଡକଳାକୋଟ ଗାଁର ଯୁକ୍ତ ଦୁଇ ପାସ କରିଥିବା ମାନୁଏଲ ରଇତଙ୍କ କ୍ଷେତ୍ରରେ ।
ମାନୁଏଲଙ୍କର କେହି ନଥିବାବେଳେ ସେ ବହୁ କଷ୍ଟରେ କାମ ଧନ୍ଦା କରି ଯୁକ୍ତ ଦୁଇ ପାସ କରିଥିଲେ । ଅଧିକ ପଢିବା ପାଇଁ ଇଚ୍ଛା ଥିବା ଜାଣି ଜିଲ୍ଲାପାଳ ଅନୁପମ ଶାହା ତୁରନ୍ତ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ନେତୃତ୍ବରେ ଏକ କମିଟି ଗଠନ କରି ଏହି ଘଟଣା ସଂପର୍କରେ ତଦନ୍ତ କରିଥିଲେ । ପରେ ମାନୁଏଲଙ୍କୁ ଡକାଇ ଉଚ୍ଚ ଶିକ୍ଷା ବିଭାଗର ‘ଗ୍ରୀନ ପାସେଜ’ ସ୍କିମ୍ ମାଧ୍ୟମରେ ପଢାଇବା ପାଇଁ ପ୍ରଶାସନ ପଦକ୍ଷେପ ଗ୍ରହଣ କରିଥିଲା ।
ତେବେ ପ୍ରଶାସନ ଦେଇଥିବା ପ୍ରମାଣପତ୍ରକୁ ଧରି କଲେଜକୁ ଗଲାବେଳେ ନାମଲେଖା ପାଇଁ ସରକାର ଜାରି କରିଥିବା ୱେବସାଇଟରେ ଏହି ସୁବିଧା ନଥିବାରୁ କଲେଜ କର୍ତ୍ତୃପକ୍ଷ ନିଜର ଅସହାୟତା ପ୍ରକାଶ କରିଥିଲେ । ବର୍ତମାନ ପାଇଁ ସେଭଳି କୌଣସି ବ୍ୟବସ୍ଥା ନାହିଁ । ପ୍ରଥମେ ଆବଶ୍ୟକୀୟ ଟଙ୍କା ଦେଲେ ନାମ ଲେଖାଯିବ ବୋଲି କଲେଜ କର୍ତ୍ତୃପକ୍ଷ କହିଥିଲେ । ଯାହା ପ୍ରଶାସନର କହିବା ଓ କରିବା ପ୍ରତି ଅନ୍ତର ଦେଖାଯାଉଥିବା କୁହାଯାଉଛି ।
ସେପଟେ ମାନୁଏଲଙ୍କର ପଢିବା ପ୍ରତି ଥିବା ଆଗ୍ରହର ଖବର ଇଟିଭି ଭାରତରେ ପ୍ରସାରଣ ହୋଇଥିବାବେଳେ ତାଙ୍କୁ ସହାୟତା କରିବାକୁ ଆଗେଇ ଆସିଥିଲେ ପାରଳାଖେମୁଣ୍ଡିର ସ୍ବେଚ୍ଛାସେବୀ ନିହାର ପଣ୍ଡା । ନିଜ ପକେଟରୁ 10 ହଜାର ଟଙ୍କା ଦେଇ ତାଙ୍କୁ ନାମ ଲେଖାଇବାରେ ସାହାଯ୍ୟ କରିଥିଲେ । ଫଳରେ ମାନୁଏଲ ଯୁକ୍ତ ତିନିରେ ନାମ ଲେଖାଇ ପାରିଛନ୍ତି ।
ଅଧିକ ପଢନ୍ତୁ...କିଏ ଶୁଣିବ ମାନୁଏଲଙ୍କ ଦୁଃଖ ? ପାଠ ପଢାରେ ବାଧା ଦେଉଛି ଅଭାବ
ତେବେ ଅନାଥ ପିଲାଙ୍କ ଶିକ୍ଷା ପାଇଁ ସରକାର ଗତ 2015 ମସିହାରେ ଚିଠିନଂ 23826/29.10.2015 ରେ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ । ଗ୍ରୀନ୍ ପାସେଜ ମାଧ୍ୟମରେ ଅନାଥ ପିଲାମାନେ ବିନା କୌଣସି ଦେୟରେ କଲେଜରେ ପଢିପାରିବେ ବୋଲି ଏଥିରେ ଉଲ୍ଲେଖ କରାଯାଇଥିଲା । ହେଲେ ବର୍ତମାନ ଅନଲାଇନ୍ ଫର୍ମଫିଲପ ସମୟରେ ଏଥିପାଇଁ କୌଣସି ସୁବିଧା ନଥିବାରୁ ପିଲାମାନେ ହଇରାଣ ହେଉଛନ୍ତି ।
ସେପଟେ ବର୍ତମାନ ଆବଶ୍ୟକୀୟ ଟଙ୍କା ଡେପୋଜିଟ୍ କରି ନାମ ଲେଖାଇବାକୁ ହେବ । ଏହାପରେ ଏଥିପାଇଁ ଆବେଦନ କରି ନିଜ ଟଙ୍କା ଫେରିପାଇବେ ବୋଲି ଗଜପତି ଜିଲ୍ଲା ସାମ୍ସ କେନ୍ଦ୍ରର ଅଧିକାରୀ କହିଛନ୍ତି ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ