ଗଜପତି: ରଙ୍ଗର ପର୍ବରେ ଘଟିଲା ଅଘଟଣ। ହୋଲି ପାଇଁ ଆଜି ଚାରିଆଡ଼େ ଉତ୍ସବମୁଖର ହୋଇପଡ଼ିଥିବାବେଳେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଉପକଣ୍ଠସ୍ଥ ଗୁମ୍ମାଗଡ଼ା ଅଞ୍ଚଳରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗୁମ୍ମାଗଡ଼ା ନିକଟସ୍ଥ ରେଲୱେ ପୋଲ ନିକଟରେ ଜଣେ ଯୁବକ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି।
ସକାଳୁ ସମସ୍ତେ ହୋଲି ଖେଳିବାକୁ ପ୍ରସ୍ତୁତ ହୋଇ ବାହାରକୁ ବାହାରିବା ସମୟରେ ସ୍ଥାନୀୟ ଲୋକେ ଏଭଳି ଦୃଶ୍ୟ ଦେଖିବାକୁ ପାଇଥିଲେ। ଏହାପରେ ଲୋକେ ପାରଳାଖେମୁଣ୍ଡି ପୋଲିସକୁ ଖବର ଦେଇଥିଲେ। ମୃତ ଯୁବକ ଜଣକ ରାଣୀପେଣ୍ଠ ଗ୍ରାମର 22 ବର୍ଷୀୟ ଯୁବକ ଏମ୍ କାର୍ତ୍ତିକ ବୋଲି ଜଣାପଡ଼ିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଜଣାପଡିଛି।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ